ଜିନ୍ସ ପିନ୍ଧି ପାରିବେନି ଶିକ୍ଷକ-ଶିକ୍ଷୟିତ୍ରୀ; ଅଜବ ନିୟମ ଆଣିଲା ଏହି ଦେଶ

ନୂଆଦିଲ୍ଲୀ: ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପିନ୍ଧି ପାରିବେନି ଜିନ୍ସ । ଫେଡେରାଲ ଡିରେକ୍ଟୋରେଟ ଅଫ ଏଜୁକେସନ ପକ୍ଷରୁ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଏଣିକି ଶିକ୍ଷକ ମାନେ ଜିନ୍ସ ପିନ୍ଧି ପାରିବେ ନାହିଁ । ପାକିସ୍ତାନର ଡିରେକ୍ଟୋରେଟ ଅଫ ଏଜୁକେସନ ପକ୍ଷରୁ ପୂର୍ବରୁ ମହିଳା ଶିକ୍ଷକଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ପୁରୁଷ ଶିକ୍ଷକଙ୍କ ପାଇଁ ମଧ୍ୟ ସମାନ ନିୟମ ପ୍ରଣୟନ କରାଯାଇଛି ।

ଏହା ସହିତ ସମସ୍ତ ସ୍କୁଲର ପ୍ରିନ୍ସିପାଲ ଏବଂ ନିର୍ଦ୍ଦେଶକଙ୍କୁ ନିକଟକୁ ଏକ ଚିଠି ପଠାଯାଇଛି । ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପୋଷାକ ପରିପାଟୀ ଉପରେ ଧ୍ୟାନ ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । କେବଳ ଅଫିସ ସମୟ ନୁହେଁ ବାହାରେ କୌଣସି ବୈଠକରେ ଯୋଗ ଦେବା ପାଇଁ ଏହି ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମହିଳା ମାନଙ୍କୁ ସାଲୱାର କମିଜ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ନିୟମିତ ଭାବରେ ଚୁଟି କାଟିବା ଠାରୁ ନଖ କାଟିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।