World Cup-2023 ପାଇଁ ଏହି ଦିନ ହେବ ଦଳ ଘୋଷଣା: ICC ଦେଲା ଖୁସି ଖବର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଆଉ ମାତ୍ର କେଇଟା ଦିନ ବାକି ରହିଥିବା ବେଳେ ଆଇସିସି ତରପରୁ ଏକ ବଡ଼ ଘୋଷଣା ହୋଇଯାଇଛି । ବିଶ୍ୱକପ ପାଇଁ ଦଳ ଘୋଷଣା କରିବାର ଶେଷ ତାରିଖ ଘୋଷଣା କରିଛି ଆଇସିସି । ଅକ୍ଟୋବର ୫ ତାରିଖରୁ ବିଶ୍ୱକପ-୨୦୨୩ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ପ୍ରତ୍ୟେକ ଦଳ ନିଜ ୧୫ ଜଣିଆ ସଦସ୍ୟ ଘୋଷଣା କରିବେ । ଏ ନେଇ ଆଇସିସି ତରଫରୁ ଏଖ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ପ୍ରତ୍ୟେକ ଦଳକୁ ଆସନ୍ତା ୫ ସେପ୍ଟେମ୍ବର ମଧ୍ୟରେ ବିଶ୍ୱକପ ପାଇଁ ୧୫ ଜଣିଆ ଖେଳାଳିଙ୍କ ତାଲିକା ଆଇସିସିକୁ ଦେବା ପାଇଁ ସମୟ ଦିଆଯାଇଛି । ଏହି ଦଳ ଘୋଷଣା କରିବାରେ ପ୍ରତ୍ୟେକ ଦଳକୁ ଏକ ମାସରୁ ବି କମ୍ ସମୟ ବାକି ରହିଛି । ତେବେ ସେପ୍ଟେମ୍ବର ୫ ତାରିଖରେ ଦଳ ଘୋଷଣା କଲେ, ଏହାକୁ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପରିବର୍ତ୍ତନ କରାଯାଇ ପାରିବ । ଏହାପରେ ଯଦି ଦଳରେ କୌଣସି ପରିବର୍ତ୍ତନର ଆବଶ୍ୟକ ହୁଏ, ତେବେ ଆଇସିସିର ଟେକ୍ନିକାଲ କମିଟି ତରଫରୁ ଅନୁମତି ନେବାକୁ ପଡ଼ିବ । ୪୬ ଦିନର ଏହି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ । ଏଥିପାଇଁ ଭାରତର ମୋଟ ୧୦ଟି ଷ୍ଟାଡିୟମ ସ୍ଥିର କରାଯାଇଛି । ଟୁର୍ଣ୍ଣାମେଣ୍ଟ ପାଇଁ ସୂଚୀ ଜାରି ହୋଇ ସାରିଥିବା ବେଳେ କିଛିଟା ମ୍ୟାଚରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ ।

ଅନ୍ୟ ପକ୍ଷରେ ବିଶ୍ୱକପ ପାଇଁ କେବଳ ଅଷ୍ଟ୍ରେଲିଆ ଦଳ ନିଜର ୧୮ ଜଣିଆ ଦଳ ଘୋଷଣା କରି ସାରିଛି । ଏହି ଦଳର ନେତୃତ୍ୱ ପ୍ୟାଟ କମିନ୍ସଙ୍କ ହାତରେ ଦେଇଛି ଟିମ ମ୍ୟାନେଜମେଣ୍ଟ । ତେବେ ଭାରତୀୟ ଦଳ ନିକଟରେ ବର୍ତ୍ତମାନ ମାତ୍ର ୯ ଟିମ ମ୍ୟାଚ ବାକି ରହିଛି । ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ୬ଟି ମ୍ୟାଚ ଖେଳିବାକୁ ଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୩ଟି ମ୍ୟାଚ ଖେଳିବ ରୋହିତ ସେନା । ଏହା ମଧ୍ୟରେ ଭାରତୀୟ ଦଳର ୧୫ ଜଣିଆ ସଦସ୍ୟ ଚୟନ କରିବ ଭାରତୀୟ ଦଳ ।