fbpx

ବିଶ୍ୱକପର ବଦଲା ଟି-୨୦ ସିରିଜରେ ନେଲା ଭାରତ; ୨ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ

ଓଡିଶା ଭାସ୍କର; ବିଶ୍ୱକପର ବଦଲା ଟି-୨୦ ସିରିଜରେ ନେଲା ଭାରତ। ବିଶାଖାପଟନମ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ସିରିଜରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ୨ ୱିକେଟରେ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରିଛି ଭାରତ।

ସୂଚନା ଥାଉକି, ଦିନିକିଆ ବିଶ୍ୱକପ ୨୦୨୩ରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତକୁ ପରାସ୍ତ କରି ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ଦଳ। ଏହା ପରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ। ବିଶାଖାପଟନମ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଆଜି ଏହା ଥିଲା ଟି-୨୦ର ପ୍ରଥମ ମ୍ୟାଚ। ନୂଆ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ସହ ମୁକାବିଲା କରିବା ପାଇଁ ମୈଦାନକୁ ଓହ୍ଲାଇଥିଲା ଭାରତୀୟ ଦଳ। ତେବେ ବିଶ୍ୱକପ ପରାଜୟ ପରେ ପ୍ରଥମ ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ।

ସୂଚନା ଯୋଗ୍ୟ, ଆଜି ପ୍ରଥମେ ଟସ ଜିତି ବୋଲିଂର ନିଷ୍ପତି ନେଇଥିଲା ଭାରତ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଜୋସ ଇଙ୍ଗଲିସ୍‌ଙ୍କ ବିସ୍ଫୋରକ ଶତକ ଏବଂ ଷ୍ଟିଭ୍ ସ୍ମିଭଙ୍କ ଅର୍ଦ୍ଧଶତକ ବଳରେ ୩ ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ ୨୦୮ ରନ୍ ସଂଗ୍ରହ କରିଥିଲା। ଯାହାକୁ ନେଇ ଭାରତ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରହିଥିଲା ଏଥିରେ ଆରମ୍ଭରୁ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିଥିଲେ ଷ୍ଟିଭ୍ ସ୍ମିଥ ଏବଂ ଜୋସ୍ ଇଙ୍ଗଲିସ୍ । ସ୍ମିଥ ୪୧ ବଲରୁ ୮ଟି ଚୌକା ସହ ୫୨ ରନ୍ କରି ଆଉଟ ହୋଇଥିବା ବେଳେ ମାର୍ଟ ସର୍ଟ ୧୩ ରନ୍ କରି ରବି ବିଷ୍ଣୋଇଙ୍କ ପ୍ରଥମ ଶିକାର ହୋଇଥିଲେ । ପରେ ଇଙ୍ଗଲିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଆରମ୍ଭ ହୋଇଥିଲା । ମାତ୍ର ୫୦ ବଲ ଖେଳି ୧୧ଟି ଚୌକା ଏବଂ ୮ଟି ଛକା ସହାୟତାରେ ୧୧୦ ରନ୍ କରି ଆଉଟ ହୋଇଥିଲେ । ମାର୍କସ୍‌ ଷ୍ଟୋଇନିସ ୭ ଏବଂ ଟିମ୍ ଡେଭିଡ୍‌ ୧୯ ରନ୍ କରି ନଟଆଉଟ ଥିଲେ ।

ଏହା ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା ଭାରତୀୟ ଦଳ। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଓ ଈଶାନ କିଷନଙ୍କ ଅର୍ଦ୍ଧଶତକ ବଳରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ୨୦ ଓଭରରେ ପୂରା କରିଛି। ଅତି ରୋମାଞ୍ଚକ ପରିସ୍ଥିତି ପରେ ଶେଷ ବଲ୍‌ରେ ୧ ରନ୍‌ ଆବଶ୍ୟକ ଥିବା ବେଳେ ଯୁବ ବ୍ୟାଟର ରିଙ୍କୁ ସିଂହ ଛକା ମାରି ଭାରତକୁ ବିଜୟ ଦେଇଛନ୍ତି। ମୋଟ ୮ଟି ୱିକେଟ୍‌ ହରାଇ ୨୧୪ ରନ୍‌ ସଂଗ୍ରହ କରି ଭାରତ ଏହି ମ୍ୟାଚ୍‌ ଜିତିଛି। ତେବେ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପରବର୍ତ୍ତୀ ମ୍ୟାଚ୍‌ ଆସନ୍ତା ୨୬ ତାରିଖରେ କେରଳର ତିରୁଅନନ୍ତପୁରମରେ ଖେଳାଯିବ।

Get real time updates directly on you device, subscribe now.