fbpx

ପାକିସ୍ତାନର ଭୁଲକୁ ଫଲୋ କରୁଛି ଭାରତ: ବିସିସିଆଇକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ । ଏଥିପାଇଁ ଜୁଲାଇ ୩୦ ତାରିଖରେ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ତେବେ ଏହି ସିରିଜରେ ମଧ୍ୟ ଟିମ ଇଣ୍ଡିଆର ପ୍ରମୁଖ ଖେଳାଳି ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି । ଯାହାକୁ ନେଇ ଅନେକ ପ୍ରଶନ ଉଠିଛି । ଅନେକ ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଏହାକୁ ନେଇ ଆଲୋଚନା କରୁଛନ୍ତି ।

ଚଳିତବର୍ଷ ଭାରତର ମୋଟ ୭ ଜଣ କ୍ରିକେଟର ଭାରତର ଅଧିନାୟକ ପଦରେ ରହି ସାରିଛନ୍ତି । ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ରାଶିଦ ଲତିଫ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତୀୟ ଟିମକୁ ସେ ୧୯୯୦ ମସିହାର ପାକିସ୍ତାନ ଟିମ ସହ ତୁଳନା କରିଛନ୍ତି ରାଶିଦ । ଏମିତିକି ସେ ଭାରତୀୟ କ୍ରିକେଟ ବୋର୍ଡ ବା ବିସିସିଆଇକୁ ଏକ ବଡ ଚେତାବନୀ ମଧ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ ସମସ୍ତେ ବ୍ୟାକଅପ କଥା କହିଥାନ୍ତି । କିନ୍ତୁ ଭାରତୀୟ ଦଳ ଗତ ବର୍ଷକ ମଧ୍ୟରେ ବିକଳ୍ପ ଭାବରେ ୭ ଜଣ ଅଧିନାୟକ ତିଆରି କରି ସାରିଲେଣି । ଏହା ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଛି । ବିରାଟ କୋହଲି, କେ.ଏଲ ରାହୁଲ, ରୋହିତ ଶର୍ମା, ଶିଖର ଧୱନ, ଋଷଙ ପନ୍ତ, ଜଶପ୍ରୀତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ ଏହା ମଧ୍ୟରେ ଦଳର ନେତୃତ୍ୱ ନେଇ ସାରିଲେଣି । ୧୯୯୦ ମସିହାରେ ଠିକ ଏମିତି ଭୁଲ କରିଥିଲା ପାକିସ୍ତାନ ବୋର୍ଡ ।

ଏହାସହିତ ରାଶିଦ କହିଛନ୍ତି ଯେ, କୌଣସି ଅଧିନାୟକଙ୍କୁ ଲଗାତାର ସୁଯୋଗ ମଧ୍ୟ ମିଳି ପାରୁନାହିଁ । ତେଣୁ ଟିମ ଇଣ୍ଡିଆକୁ ଏମ.ଏସ ଧୋନୀ ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ଅଧିନାୟକ ବାଛିବାକୁ ପଡିବ । ଜିମ୍ବାୱେ ଗସ୍ତ ପାଇଁ ଶିଖର ଧୱନଙ୍କୁ ନେତୃତ୍ୱ ଭାର ଦଳର ମିଳିଛି ।

Get real time updates directly on you device, subscribe now.