fbpx

ଦର୍ଶକ ନିରାଶ: ମାତ୍ର ୩ ରନରେ ହାରିଲା ଟିମ୍ ଇଣ୍ଡିଆ, ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ମାତ୍ର ତିନି ରନରେ ଘରୋଇ ଦଳ ପରାସ୍ତ ହୋଇ ସିରିଜ୍ ହାତଛଡ଼ା କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୯ ରନର ଟାର୍ଗେଟ ଦେଇଥିବା ବେଳେ ଭାରତ ମାତ୍ର ୩ ରନରେ ପଛରେ ରହିଯାଇଥିଲା । ଫଳରେ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିବା ସହ ସିରିଜ୍ ବିଜୟୀ ହୋଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ମହିଳା ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୫୮ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଫୋଏବେ ଲିଟଚିଫିଲ୍ଡ ଓ ଏଲିସ ପେରୀ ଉଭୟେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ନୂଆ ରେକର୍ଡ ସ୍ଥାପନ କରିଥିଲେ । ପ୍ରଥମ ଭାରତୀୟ ଭାବେ ଦୀପ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହା ପୂର୍ବରୁ ୨୦୦୬ ମସିହାରେ ଭାରତର ନ୍ୟୁଶିନ ଅଲ ଖଦୀର ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ୱିକେଟ ଅକ୍ତିଆର କରିଥିଲେ, ଯାହାକି ଭାରତୀୟ ବୋଲର ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।

ଜବାବରେ ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୫ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ଖେଳାଳିମାନେ କଡ଼ା ସଂଘର୍ଷ କରିଥିଲେ ହେଁ ବିଜୟରୁ ଅଳ୍ପ ଦୂରରେ ରହିଯାଇଥିଲେ । ଭାରତ ପକ୍ଷରୁ ୱିକେଟ କିପର ରିଚା ଘୋଷ ସର୍ବାଧିକ ୯୬ ରନ୍ ସଂଗ୍ରହ କରିଥିବା ବେଳେ ଜେମିମାହ ରୋଡ୍ରିଗଜ ୪୪ ରନ୍ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆନ୍ନାବେଲ ସୁଥରଲାଣ୍ଡ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଏହା ପୂର୍ବରୁ ଗତ ୨୮ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଦିନିକିଆରେ ଭାରତ ୬ ୱିକେଟରେ ପରାସ୍ତ ହୋଇଥିବା ବେଳେ କ୍ରମାଗତ ଦ୍ୱିତୀୟ ଥର ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ସିରିଜ ବିଜୟୀ ହୋଇ ସାରିଥିବା ବେଳେ ଆସନ୍ତା ମାସ ୨ ତାରିଖରେ ତୃତୀୟ ଦିନିକିଆ ଖେଳାଯିବ ।

Get real time updates directly on you device, subscribe now.