ନୂଆ ODI Captain ବାଛିବ ଟିମ ଇଣ୍ଡିଆ! ଟେଷ୍ଟ ପରେ ଦିନିକିଆରୁ ବାଦ୍ ପଡ଼ିବେ ରୋହିତ: କାହାକୁ ମିଳିବ ଦାୟିତ୍ୱ?
ଟେଷ୍ଟ ପରେ ଦିନିକିଆରେ ଭାରତକୁ ମିଳିବେ ନୂଆ ଅଧିନାୟକ; ହାର୍ଦ୍ଦିକ, ଋଷଭ, ରାହୁଲଙ୍କ ମଧ୍ୟରେ ରେସ୍
ନୂଆଦିଲ୍ଲୀ: ଖରାପ ଫର୍ମ ଏବଂ ଲଗାତାର ସିରିଜ ପରାଜୟ ଏବେ ରୋହିତଙ୍କ କ୍ୟାରିୟର ଉପରେ ପ୍ରଶ୍ନ ଉଠାଇଛି । ଖୁବଶୀଘ୍ର ତାଙ୍କ ବିକଳ୍ପ ଖୋଜିପାରେ ଟିମ ଇଣ୍ଡିଆ । ଟି-୨୦ ଏବଂ ଟେଷ୍ଟ ପରେ ଦିନିକିଆରେ ମଧ୍ୟ ରୋହିତଙ୍କ ସ୍ଥାନରେ ଭାରତକୁ ନୂଆ ଅଧିନାୟକ ମିଳିପାରେ ।
ଏକ ରିପୋର୍ଟରୁ ଜଣାଯାଇଛି ଯେ, ଟିମ ଇଣ୍ଡିଆର ଚୟନ କମିଟି ତଥା ବିସିସିଆଇ ଏବେ ରୋହିତଙ୍କ ଡେପୁଟି ଖୋଜିବା ଆରମ୍ଭ କରିଛି । ଅଧିନାୟକ ଭାବରେ ରୋହିତଙ୍କ ଦାୟିତ୍ୱ ନେବା ପାଇଁ ଅନ୍ୟ ଜଣେ ଖେଳାଳିଙ୍କ ସନ୍ଧାନରେ ରହିଛି ଭାରତୀୟ ଟିମ ମ୍ୟାନେଜମେଣ୍ଟ ।
କିଏ ହେବେ ନୂଆ ଅଧିନାୟକ?
- ହାର୍ଦ୍ଦିକ ପାଣ୍ଡ୍ୟା: ରୋହିତ ଶର୍ମାଙ୍କ ପରେ ଅଧିନାୟକ ପଦବୀ ଦୌଡ଼ରେ ଖୁବ ଆଗରେ ରହିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତଙ୍କୁ ଏହି ଦାୟିତ୍ୱରୁ ବାଦ୍ ଦେଲେ ବୋର୍ଡ ହାର୍ଦ୍ଦିକଙ୍କୁ ନୂଆ ଅଧିନାୟକ ଭାବରେ ଦାୟିତ୍ୱ ଦେଇପାରେ ।
ଗତ ୨ ବର୍ଷ ମଧ୍ୟରେ ସୀମିତ ଓଭର କ୍ରିକେଟରେ ଅଧିନାୟକ ଭାବରେ ଅନେକ ଅଭିଜ୍ଞତା ହାସଲ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତେଣୁ ହାର୍ଦ୍ଦିକ ହିଁ ରୋହିତଙ୍କ ପରେ ଦଳର ନେତୃତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ରହିବେ ବୋଲି ଆଶା କରାଯାଉଛି ।
- ଋଷଭ ପନ୍ତ/କେ.ଏଲ ରାହୁଲ: ହାର୍ଦ୍ଦିକଙ୍କ ବ୍ୟତୀତ ଦଳରେ ଋଷଭ ପନ୍ତ ଏବଂ କେ.ଏଲ ରାହୁଲ ମଧ୍ୟ ଏହି ଦାୟିତ୍ୱ ଗ୍ରହଣ କରିପାରନ୍ତି । ଟି-୨୦ ଫର୍ମାଟ ଭଳି କୋଚ୍ ଗମ୍ଭୀର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ହାର୍ଦ୍ଦିକଙ୍କ ସ୍ଥାନରେ ରାହୁଲ କିମ୍ବା ଋଷଭଙ୍କୁ ଅଧିନାୟକ କରିପାରନ୍ତି ଗୁରୁ ଗମ୍ଭୀର ।
ଟି-୨୦ ଫର୍ମାଟରୁ ଅବସର: ୨୦୨୪ ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଥିଲା। ୧୭ ବର୍ଷ ପରେ ଭାରତକୁ ଟି-୨୦ ବିଶ୍ୱ ଚମ୍ପିଆନ୍ କରାଇଥିଲେ ଅଧିନାୟକ ରୋହିତ । ଏହି ଐତିହାସିକ ବିଜୟ ପରେ ରୋହିତ ଶର୍ମା ଟି -୨୦ କ୍ରିକେଟରୁ ଅବସର ନେଇଥିଲେ।