କିଶୋରମାନେ ରୋମାଣ୍ଟିକ୍ ସମ୍ପର୍କ ରଖିବାକୁ ସ୍ବାଧୀନ ହେବା ଉଚିତ: ହାଇକୋର୍ଟ

ନୂଆଦିଲ୍ଲୀ: କିଶୋର ପ୍ରେମ ସହ ଜଡିତ ଅପରାଧିକ ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାଗୁଡ଼ିକରେ ଦଣ୍ଡ ଅପେକ୍ଷା ବିବେକପୂର୍ଣ୍ଣ ନିଷ୍ପତ୍ତିକୁ ପ୍ରାଥମିକତା ଦେଇ ଏକ ନରମ ଆଭିମୁଖ୍ୟକୁ ସମର୍ଥନ ଜଣାଇଛନ୍ତି।

ଜଷ୍ଟିସ୍ ଜସମିତ ସିଂହ ଗୁରୁତ୍ୱାରୋପ କରି କହିଥିଲେ ଯେ କିଶୋରମାନଙ୍କ ମଧ୍ୟରେ ପ୍ରେମ ସ୍ୱାଭାବିକ ଏବଂ ମାନବ ବିକାଶର ଏକ ଅଂଶ ଏବଂ ଏହାକୁ ଦଣ୍ଡ ଦେବା ପରିବର୍ତ୍ତେ, ସମ୍ମାନ ଏବଂ ସମ୍ମତିରେ ଗଠିତ ସମ୍ପର୍କକୁ ସ୍ୱୀକୃତି ଦିଆଯିବା ଉଚିତ। ସେ କହିଥିଲେ ଯେ କିଶୋରମାନଙ୍କୁ ଅପରାଧୀକରଣର ଭୟ ବିନା ସେମାନଙ୍କର ଭାବନା ପ୍ରକାଶ କରିବାକୁ ଏବଂ ସମ୍ପର୍କ ଗଠନ କରିବାକୁ ଅନୁମତି ଦିଆଯିବା ଉଚିତ।

ହାଇକୋର୍ଟ ଏକ ମାମଲାର ବିଚାର କରିବା ବେଳେ କହିଛନ୍ତି ଯେ କିଶୋରମାନଙ୍କର ଦୁଷ୍କର୍ମ ଆଇନର ଭୟ ବିନା ସହମତିକ୍ରମେ ରୋମାଣ୍ଟିକ୍ ସମ୍ପର୍କରେ ଲିପ୍ତ ହେବାର ସ୍ବାଧୀନତା ରହିବା ଉଚିତା କୌଣସି ବ୍ୟକ୍ତି ଯଦି ୧୮ ବର୍ଷରୁ କମ୍ ବୟସର ତେବେ ଏଭଳି ସମ୍ପର୍କକୁ ଆଇନ ଅପରାଧ ବୋଲି ବିବେଚନା କରେ ଜଷ୍ଟିସ ଜସମିତ୍‌ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କିଶୋର ବୟସରେ ସହମତିକ୍ରମେ ଯୌନ ସମ୍ପର୍କ ରଖିବାକୁ ମଧ୍ୟ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆକ୍ଟ) ଅଧୀନରେ ଅପରାଧ ଘୋଷଣା କରାଯାଇଛି । କିଶୋର ପ୍ରେମକୁ ସ୍ବୀକାର କରିବା ପାଇଁ ଆଇନ ବିକଶିତ ହେବା ଉଚିତ ବୋଲି ବିଚାରପତି ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଅନ୍ୟ କେତେକ ହାଇକୋର୍ଟ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି। ଅକ୍ଟୋବର ୨୦୨୩ରେ କଲିକତା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରି କହିଥିଲେ ଯେ ପୋକ୍ସୋ ଆଇନ କିଶୋରମାନଙ୍କ ସହମତିକ୍ରମେ ସମ୍ପର୍କକୁ ମଧ୍ୟ ଅନ୍ୟାୟ ଭାବରେ ଅପରାଧ ସହ ଯୋଡ଼ି ଦେଇଛି। ୨୦୨୧ରେ ମାଡ୍ରାସ ହାଇକୋର୍ଟ ମଧ୍ୟ ସମାନ ମତ ପ୍ରକାଶ କରିଥିଲେ।

ଫେବ୍ରୁଆରି ୨୦୨୪ରେ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ମତ ଦେଇଥିଲେ ଯେ ପୋକ୍ସୋ ଆଇନ କିଶୋରମାନଙ୍କ ମଧ୍ୟରେ ସହମତିକ୍ରମେ ଯୌନ ସମ୍ପର୍କକୁ ଅପରାଧୀକରଣ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ସେମାନଙ୍କୁ ଯୌନ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ।

ମାର୍ଚ୍ଚ ୨୦୨୪ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୋକ୍ସୋ ମାମଲାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଜାମିନ ପ୍ରଦାନ କରି କହିଥିଲେ ଯେ ଅଦାଲତ କିଶୋର ପ୍ରେମକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଜୁଲାଇ ୨୦୨୪ରେ ଆହ୍ଲାବାଦ ହାଇକୋର୍ଟ ଚିନ୍ତା ପ୍ରକଟ କରିଥିଲେ ଯେ ସହମତିକ୍ରମେ ରୋମାଣ୍ଟିକ୍ ସମ୍ପର୍କରେ କିଶୋରମାନଙ୍କ ବିରୋଧରେ ପୋସ୍କୋ ଆଇନର ଅପବ୍ୟବହାର କରାଯାଉଛି।