୧୨ ବର୍ଷ ଧରି ଲଭ୍ ରିଲେସନସିପରେ ଅଛନ୍ତି ତେଜ ପ୍ରସାଦ ଯାଦବ, ଫଟୋ ଶେୟାର କରି ସମସ୍ତଙ୍କୁ କହିଲେ ଏହି ବଡ଼ ସିକ୍ରେଟ୍

ପାଟନା,୨୪ା୫: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ରାଷ୍ଟ୍ରୀୟ ଜନତା ଦଳ(RJD ) ବିଧାୟକ ତେଜ ପ୍ରତାପ ଯାଦବ ଶନିବାର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଗତ ୧୨ବର୍ଷ ଧରି ସେ ଲଭ୍ ରିଲେସନସିପରେ ଅଛନ୍ତି। ଆରଜେଡି ବିଧାୟକ ତାଙ୍କ ପ୍ରେମିକାଙ୍କ ସହ ଏକ ଫଟୋ ସେୟାର କରି ନିଜର ଭାବନା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ‘ଆମେ ଦୁହେଁ ଗତ ୧୨ ବର୍ଷ ଧରି ପରସ୍ପରକୁ ଜାଣୁ ଏବଂ ପରସ୍ପରକୁ ଭଲ ମଧ୍ୟ ପାଉ।’

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ‘ମୁଁ ତେଜ ପ୍ରତାପ ଯାଦବ ଏବଂ ଏହି ଫଟୋରେ ମୋ ସହିତ ଦେଖାଯାଉଥିବା ଝିଅଟି ହେଉଛି ଅନୁଷ୍କା ଯାଦବ। ଆମେ ଦୁହେଁ ଗତ ୧୨ବର୍ଷ ଧରି ପରସ୍ପରକୁ ଜାଣୁ ଏବଂ ପରସ୍ପରକୁ ଭଲ ମଧ୍ୟ ପାଉ। ଆମେ ଗତ ୧୨ ବର୍ଷ ଧରି ଏକ ଲଭ୍ ରିଲେସନସିପରେ ରହୁଛୁ। ମୁଁ ବହୁତ ଦିନ ଧରି ଆପଣମାନଙ୍କୁ ଏହା କହିବାକୁ ଚାହୁଁଥିଲି, କିନ୍ତୁ ମୁଁ ଏହାକୁ କିପରି କହିବି ବୁଝିପାରୁ ନଥିଲି। ତେଣୁ ଆଜି ମୁଁ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କ ସମସ୍ତଙ୍କ ସହିତ ମୋର ହୃଦୟର କଥା ସେୟାର କରୁଛି। ମୁଁ ଆଶା କରୁଛି ଆପଣମାନେ ମୋ କଥା ବୁଝିବେ।’

୨୦୧୮ରେ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ

ବିହାରର ହାସନପୁର ବିଧାୟକ ତେଜ ପ୍ରତାପ ଯାଦବ ତାଙ୍କ ପ୍ରେମ ପ୍ରକାଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହି ପୋଷ୍ଟ ପରେ ଜନସାଧାରଣଙ୍କ ପକ୍ଷରୁ ଅନେକ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ତେଜ ପ୍ରତାପ ଯାଦବ ୨୦୧୮ରେ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ। ଯାହା କେବଳ ବିହାରରେ ନୁହେଁ ବରଂ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିବାକୁ ଲାଗିଲା ଏବଂ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଲା।

ବର୍ତ୍ତମାନ ତେଜ ପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ମାମଲା ପରିବାର ଅଦାଲତରେ ବିଚାରାଧୀନ ଅଛି। କିନ୍ତୁ ତେଜ ପ୍ରତାପ ଅନେକ ଥର ଏହି ବିବାହକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହା ସହିତ ଏକ ପଡକାଷ୍ଟରେ ସେ କହିଥିଲେ ଯେ, ବର୍ତ୍ତମାନ ସେ ବିବାହକୁ ଭୟ କରୁଛନ୍ତି। ତଥାପି ପୁନଃବିବାହ ପ୍ରସଙ୍ଗରେ ସେ କହିଥିଲେ ଯେ, ଛାଡପତ୍ର ମାମଲା ପରେ ଏହା ଦେଖାଯିବ। ଏପରି ପରିସ୍ଥିତିରେ ତେଜ ପ୍ରତାପଙ୍କ ଏପରି ପ୍ରେମ ପ୍ରକାଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।