ତେଜସ୍ୱୀଙ୍କୁ ଚାପି ଦେଇଥାନ୍ତା ଟ୍ରକ୍! ଅଳ୍ପକେ ବର୍ତ୍ତି ଗଲେ ଲାଲୁଙ୍କ ଗେହ୍ଲା ପୁଅ
ହଠାତ୍ ମାଡ଼ି ଆସିଲା ଦ୍ରୁତଗାମି ଟ୍ରକ୍ । ସୁରକ୍ଷାକର୍ମୀ ହୋଇଗଲେ ଆହତ ।
ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟି ଦେଖାଦେଇଛି। ଶୁକ୍ରବାର ରାତି ୧.୩୦ ସମୟରେ, ଏକ ଦ୍ରୁତଗାମୀ ଟ୍ରକ୍ ତେଜସ୍ୱୀ ଯାଦବଙ୍କ ରାଲି ଉପରେ ମାଡ଼ିଗଲା । ଏହି ଦୁର୍ଘଟଣାରେ ତିନି ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି।
ଯେତେବେଳେ ତେଜସ୍ୱୀ ଯାଦବ ମାଧପୁରାରୁ ପାଟନାକୁ ଆସୁଥିଲେ, ଏହି ଦୁର୍ଘଟଣା ହାଜିପୁର-ମୁଜାଫରପୁର ରାଜପଥରେ ଘଟିଥିଲା। କୁହାଯାଉଛି ଯେ ଅନିୟନ୍ତ୍ରିତ ଟ୍ରକଟି ତେଜସ୍ୱୀ ଯାଦବଙ୍କ କାର ପାଖରେ ପହଞ୍ଚି ଯାଇଥିଲା।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସରାଇ ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଥିଲେ। ସେହିପରି ଆହତ ସୁରକ୍ଷା କର୍ମୀଙ୍କୁ ହାଜିପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରୋହିଣୀ କହିଲେ ଅବହେଳା
ତେଜସ୍ୱୀ ଯାଦବଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ତାଙ୍କ ଭାଇଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟି ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ ଦୁର୍ଘଟଣା ବିଷୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଏବଂ ଦାବି କରିଛନ୍ତି ଯେ ଏହି ଭୁଲଟି ଜାଣିଶୁଣି କରାଯାଇଥିଲା। ରୋହିଣୀ ଆଚାର୍ଯ୍ୟ ପୋଷ୍ଟରେ ଲେଖିଛନ୍ତି, “ତେଜସ୍ୱୀଙ୍କ ସୁରକ୍ଷାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଦେଖାଯାଇଥିବା ଅବହେଳା ଗମ୍ଭୀର ଚିନ୍ତାର ବିଷୟ। ଏହାର ତୁରନ୍ତ ତଦନ୍ତ କରାଯିବା ଉଚିତ।”
ପୋଲିସ ସୂଚନା ଦେଇଛି ଯେ ଧକ୍କା ଦେଇ ପଳାଇଥିବା ଟ୍ରକ୍ ଡ୍ରାଇଭର ଏବେ ପୋଲିସ ହେପାଜତରେ ଅଛି। ବର୍ତ୍ତମାନ ପୋଲିସ ତାଙ୍କୁ ପଚରାଉଚରା କରୁଛି। ଅନ୍ୟପଟେ ତେଜସ୍ୱୀ ଯାଦବ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ଅପିଲ୍ କରିଛନ୍ତି।