ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୬ ଜଣ ଜୀବନ୍ତ ଦଗ୍ଧ, ଏକାଧିକ ଆହତ

ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ହସ୍ପିଟାଲରେ ଘଟିଯାଇଛି ଭୟଙ୍କର ଅଘଟଣ । ତାମିଲନାଡୁର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଡିଣ୍ଡିଗୁଲ ସ୍ଥିତ ଘରୋଇ ଅର୍ଥୋପେଡିକ ହସ୍ପିଟାଲରେ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଛି । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକେ ଆହତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ କିଛି ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁତର ରହିଛନ୍ତି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୯ ଜଣ ରୋଗୀଙ୍କୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି ।