fbpx

ଥମୁନି ମାର୍କେଟ ବିଲ୍ଡିଂ ବିବାଦ : ସ୍ଥାୟୀ ସମାଧାନ ନ ହେବା ଯାଏଁ ବନ୍ଦ ରହିବ

ଭୁବନେଶ୍ୱର : ସମାଧାନ ଆଶାରେ ବ୍ୟବସାୟୀ ସଂଘ ଚରମ ନିଷ୍ପତ୍ତି ନେଉନଥିବା ବେଳେ ବିଏମ୍‌ସି ବି ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ମଧ୍ୟ ନେଉ ନାହିଁ। ଦୀର୍ଘ ୮ ଦିନ ପରେ ଆଜଚି ବିଏମ୍‌ସି ମୁହଁ ଖୋଲିଥିଲେ ମଧ୍ୟ ବିବାଦ ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ‘ଯାଗା ଖୋଜା ଚାଲିଛି, ଉଠା ଦୋକାନୀମାନଙ୍କୁ ଥଇଥାନ କରାଯିବ’ ବୋଲି ଆଜି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପଟେ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ କହିଛି ସ୍ଥାୟୀ ସମାଧାନ ବା ଉଠାଦୋକାନୀଙ୍କୁ ଏଠାରୁ ଉଠାଇ ‌‌ନେଇ ଅନ୍ୟତ୍ର ଥଇଥାନ ନ କରିବା ପର୍ଯ୍ୟନ୍ତ ମାର୍କେଟ୍ ବିଲ୍ଡିଂ ବନ୍ଦ ରହିବ। ଏଣୁ ମାର୍କେଟ୍ ବିଲ୍ଡିଂ ପୂର୍ବବତ୍ ବନ୍ଦ ରହିବା ଥୟ ହୋଇଛି।

ମାର୍କେଟ୍ ବିଲ୍ଡିଂକୁ ନେଇ ବିବାଦ ଥମୁ ନାହିଁ । ଏନେଇ ସୁର ଜେନାଙ୍କ ନେତୃତ୍ୱରେ ଶହଶହ ଉଠାଦୋକାନୀ ଥଇଥାନ ଦାବିରେ ଆନ୍ଦୋଳନ କରିବା ସହ ୨୮ ତାରିଖରେ ବିଏମ୍‌ସି ଘେରିବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ବିଏମ୍‌ସି ଉଠାଦୋକାନୀଙ୍କୁ ଅନ୍ୟତ୍ର ଥଇଥାନ ନ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ୮ ଦିନ ଧରି ମାର୍କେଟ୍ ବିଲ୍ଡିଂ ବନ୍ଦ ରହିଥିଲେ ମଧ୍ୟ ବିଏମ୍‌ସି ସମାଧାନ କରୁନାହିଁ। ଏଣୁ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ ଭୁବନେଶ୍ୱରରେ ଥିବା ସମସ୍ତ ବଡ଼ ବଡ଼ ବଜାର ବନ୍ଦ କରିବାକୁ ଚେତାବନୀ ଦେବା ସହ ସଂଘମାନଙ୍କ ସହ ଆଲୋଚନା ଆରମ୍ଭ କରିଥିଲା। କିନ୍ତୁ ଆଜି ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏ ନେଇ ସ୍ପଷ୍ଟୀକରଣ ରଖିଥିଲେ। ମେୟର ସୁଲୋଚନା ଦାସ କହିଛନ୍ତି ୨ରୁ ୩ ଦିନ ମଧ୍ୟରେ ସ୍ଥାନ ଚିହ୍ନଟ କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ। ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନକୁ ମାର୍କେଟ ବିଲ୍ଡିଂର ରକ୍ଷଣବେକ୍ଷଣ ଦାୟିତ୍ୱ ଦିଆଯିବ। ଯାହା ଫଳରେ ଆଗକୁ ବିବାଦ ହେବ ନାହିଁ।

କମିସନର କହିଛନ୍ତି, ଯାଗା ଚିହ୍ନଟ ଚାଲିଛି, ଖୁବଶୀଘ୍ର ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରାଯିବା ସହ ବିବାଦର ସମାଧାନ କରାଯିବ। ଏହି ସ୍ପଷ୍ଟୀକରଣ ପରେ ସଂଘ ଚରମ ନିଷ୍ପତ୍ତି ନେବା ଯୋଜନାକୁ ସ୍ଥଗିତ ରଖିଛି। ଆଜି ମାର୍କେଟ୍ ବିଲ୍ଡିଂ ପରିସରରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଯୁଗ୍ମ ସମ୍ପାଦକ ରଞ୍ଜିତ ମହାନ୍ତି କହିଛନ୍ତି। ମାମଲାର ସମ୍ପୂର୍ଣ୍ଣ ସମାଧାନ ନହେବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

Get real time updates directly on you device, subscribe now.