fbpx

ହଟିବେ ଅଧୀର ରଞ୍ଜନ ଚୌଧୁରୀ ? ଥରୁର କିମ୍ବା ମନିଷ ତିଓ୍ଵାରୀ ହୋଇ ପାରନ୍ତି ଲୋକସଭାରେ କଂଗ୍ରେସର ଦଳୀୟ ନେତା

ନୂଆଦିଲ୍ଲୀ : ପଞ୍ଜାବ ଓ ରାଜସ୍ଥାନରେ ଜାରି ଅନଃକନ୍ଦଳ ମଧ୍ୟରେ କଂଗ୍ରେସର ଅନ୍ତରୀଣର ସଭାପତି ସୋନିଆ ଗାନ୍ଧୀ ବଡ ପଦକ୍ଷେପ କ୍ରମେ ଶୀଘ୍ର ଲୋକସଭାରେ ପାର୍ଟି ନେତା ପରିବର୍ତ୍ତନ କରି ପାରନ୍ତି। ଜାରି କଳ୍ପନା ଜଳ୍ପନା ଅନୁଯାୟୀ, ସୋନିଆ ଗାନ୍ଧୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ପଦରୁ ହଟାଇ ଲୋକସଭାର ଅନ୍ୟ କୌଣସି ସଦସ୍ୟଙ୍କୁ ଦଳୀୟ ନେତା ଦାୟିତ୍ଵ ଦେଇ ପାରନ୍ତି। ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଶୀଘ୍ର ଦଳରେ ବଡ ପରିବର୍ତ୍ତନ ହୋଇପାରେ।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ବହରାମପୁରରୁ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି। ସେ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର କଂଗ୍ରେସ ଚେହେରା ଥିଲେ। ସେ କଂଗ୍ରେସର ରାଜ୍ୟ ସଭାପତି ମଧ୍ୟ ଅଛନ୍ତି। ଅଧୀର ରଞ୍ଜନ କଂଗ୍ରେସର ବିଦ୍ରୋହୀ ନେତାଙ୍କ ଗୋଷ୍ଠୀ  ଜି-୨୩ର ବଡ ସମାଲୋଚକ ଅଟନ୍ତି। ଯେବେ ଏହି ସବୁ ନେତା ସାଂଗଠନିକ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧୀଙ୍କୁ ଗତ ବର୍ଷ ଅଗଷ୍ଟରେ ଚିଠି ଲେଖିଥିଲେ, ସେହି ସମୟରେ ଅଧୀର ପାର୍ଟି ହାଇକମାଣ୍ଡଙ୍କ ସହ ଛିଡା ହୋଇଥିଲେ। ସେ ସଂସଦରେ ପବ୍ଲିକ ଆକାଉଣ୍ଟ କମିଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ ଦଳୀୟ ନେତା ପଦରୁ ହଟାଇ ତାଙ୍କୁ ତୃଣମୂଳ ସହ ତାଳମେଳ ରଖି ବିଜେପି ବିରୋଧରେ ଅଭିଯାନକୁ ଜୋର କରିବାର ଦାୟିତ୍ଵ ଦେଇ ପାରନ୍ତି। ଉଲ୍ଲେଖନୀୟ ଗୋଟିଏ ପଟେ କଂଗ୍ରେସ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାମଦଳ ସହ ମେଣ୍ଟ କରି ଟିଏମସି ବିରୋଧରେ ଲଢିଥିବା ବେଳେ ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ଵ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିନଥିଲେ। ଏପରିକି ମମତାଙ୍କ ବିଜୟକୁ କଂଗ୍ରେସ ସ୍ଵାଗତ କରିଥିଲା।

ଆଗରେ ଥରୁର ଓ ମନିଷ ତିଓ୍ଵାରୀଙ୍କ ନାଁ

ସୂଚନା ଅନୁଯାୟୀ, ଲୋକସଭାରେ କଂଗ୍ରେସ ନେତା ହେବା ଦୌଡରେ ସବୁଠୁ ଆଗରେ ଅଛନ୍ତି ତିରୁଅନନ୍ତପୁରମର ସାଂସଦ ଶଶି ଥରୁର ଓ ଆନନ୍ଦପୁର ସାହିବର ସାଂସଦ ମନିଷ ତିଓ୍ଵାରୀ। ଏହି ଦୁଇ ନେତା  ଜି-୨୩ ଗୋଷ୍ଠୀର ପ୍ରମୁଖ ଚେହେରା ଥିଲେ। କୁହାଯାଉଛି ସୋନିଆ ଗାନ୍ଧୀ ଲୋକସଭାରେ ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ ଥରୁର କିମ୍ବା ତିଓ୍ଵାରୀଙ୍କୁ ଦଳୀୟ ନେତା ଭାବେ ନିଯୁକ୍ତ କରି ପାରନ୍ତି। ସୂତ୍ର  ମୁତାବକ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମନିଷ ତିଓ୍ଵାରୀଙ୍କୁ ପଞ୍ଜାବ କଂଗ୍ରେସର ସଭାପତି କରିବାକୁ ଚାହୁଁଛନ୍ତି।

Get real time updates directly on you device, subscribe now.