ମହାରାଜଗଞ୍ଜ: ଦେଶର କୋଣ ଅନୁକୋଣରେ ପୂଜା ପାଠ ହେଉ ଅବା ବିବାହ, ବ୍ରତଘର, ଏ ସବୁ ପାଳନ କରିବାର ଅଲଗା ରୀତିନିତି ରହିଛି । ସବୁ ସ୍ଥାରେ ଅଳ୍ପେବହୁତେ କିଛିଟା ଭିନ୍ନ ଜିନିଷ ଦେଖିବାକୁ ମିଳେ । ବେଳେବେଳେ ଏମିତି କିଛି ବିଧି ରହିଥାଏ ଯାହାକୁ ଅନ୍ୟ ବାହାର ଲୋକ ଦେଖିବା କ୍ଷଣି ଚିନ୍ତାରେ ପଡ଼ିଯାଏ । ଏମିତିକିଛି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ମହାରାଜଗଞ୍ଜ ଜିଲାରେ ରହୁଥିବା ମାରୱାଡ଼ି ସମାଜରେ ବିବାହକୁ ନେଇ ଏକ ବିଚିତ୍ର ରିତି ରହିଛି । ଯାହାକୁ ବିନ୍ଦୋରି ରସମ ବୋଲି କୁହନ୍ତି । ଯେଉଁଥିରେ ବର ନୁହେଁ କନିଆଁ ଘୋଡ଼ାରେ ବସି ଯାଉଥିବାର ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓଟି ସିସବା ଗ୍ରାମର ଚିତ୍ରଗୁପ୍ତ ନଗର ୱାର୍ଡରେ ରହୁଥିବା ସଜ୍ଜନ ଅର୍ଗୱାଲଙ୍କ ଝିଅର । ସେ ଘୋଡ଼ାରେ ଚଢ଼ି ନଗର ବୁଲୁଥିବ।ର ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବାର ଲାଗିଛି । ପୁଅ ଓ ଝିଅ ଉଭୟ ସମାନ, ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ଏ କଥାକୁ ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ଏ ପ୍ରକାର ନିଆରା ପରମ୍ପରା ଆପଣାଯାଇଛି ।
ବହୁ ବର୍ଷରୁ ବର ହିଁ ଘୋଡ଼ାରେ ବସି ବରଯାତ୍ରୀ ନେଇ ଯିବାର ପ୍ରଥା ରହିଆସୁଛି । କିନ୍ତୁ ଏବେ ସମୟ ବଦଳିଯାଇଛି । ପୁଅ ଓ ଝିଅ ଭିତରେ କୌଣସି ପ୍ରଭେଦ ନାହିଁ । ବର୍ତ୍ତମାନ ସମୟରେ ପ୍ରତିଟି କ୍ଷେତ୍ରରେ ପୁରୁଷଙ୍କ ସହିତ ମହିଳା କାନ୍ଧରେ କାନ୍ଧ ମିଶେଇ ଛିଡ଼ା ରହୁଛନ୍ତି । ଏବେ ବି ଅନେକଙ୍କ ମନରେ ପୁଅ, ଝିଅଙ୍କୁ ନେଇ ଭେଦଭାବ ରହିଛି । ଯାହାକୁ ଦୂର କରିବା ପାଇଁ ଉତ୍ତର ପ୍ରଦେଶର ଏକ ଛୋଟିଆ ଗାଁରେ ରହୁଥିବା ସଜ୍ଜନ ପ୍ରୟାସ କରିଛନ୍ତି । ଯାହା ନିହାତିପକ୍ଷେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।