ବୁଷ୍ଟର ଡୋଜ୍ ପାଇଁ ସର୍ଭିସ୍ ଚାର୍ଜ ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ମାମଲା କମିଥିଲେ ବି ସରକାରଙ୍କ ପକ୍ଷରୁ ଏବେ ୧୮-୫୯ ବର୍ଷର ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ୧୦ ଏପ୍ରିଲ ଅର୍ଥାତ୍ କାଲିଠାରୁ ପ୍ରାଇଭେଟ ଭାବେ ବୁଷ୍ଟର ଡୋଜ୍ ମିଳିବ । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶନିବାର ଦିନ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ବି ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ଟିକାର ବୁଷ୍ଟର ଡୋଜ୍ ଲଗାଇବା ସମୟରେ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକ ୧୫୦ ରୁ ଅଧିକ ଟଙ୍କା ଆଦାୟ କରିବା ଉଚିତ୍ ନୁହେଁ । ଏହାଠାରୁ ଅଧିକ ଟଙ୍କା କୌଣସି ହସ୍ପିଟାଲ ନେଇପାରିବେ ନାହିଁ । ଏହା ସହିତ ସେ ସୂଚନା ଦେଇଛନ୍ତି ଯେ, ଲୋକମାନେ ଯେଉଁ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇଥିବେ, ସେମାନଙ୍କୁ ସମାନ ଟିକାର ବୁଷ୍ଟର ଡୋଜ୍ ଦିଆଯିବ । ବୁଷ୍ଟର ଡୋଜ୍ ପାଇଁ ନୂଆ ରେଜିଷ୍ଟ୍ରେସନ କରିବାକୁ ପଡିବ ନାହିଁ । କୋୱିନ୍ ଆପରେ ପୂର୍ବରୁ କରିଥିବା ରେଜିଷ୍ଟ୍ରେସନ ଜରିଆରେ ବୁଷ୍ଟର ଡୋଜ୍ ଲଗାଯିବ ।

ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ କୋଭିଡର ବୁଷ୍ଟର ଡୋଜ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ସୁବିଧା ସମସ୍ତ ଘରୋଇ ପ୍ରତିରୋପଣ କେନ୍ଦ୍ରରେ ଉପଲବ୍ଧ ହେବ । ଏଥି ସହିତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କହିଛି ଯେ, କୋଭିଶିଲ୍ଡ ଟିକାକରଣର ଏକ ବୁଷ୍ଟର ଡୋଜର ମୂଲ୍ୟ ଯୋଗ୍ୟ ଲୋକଙ୍କ ପାଇଁ ୬୦୦ ଟଙ୍କା ହେବ । ଏହା ସହ କୋଭୋଭାକ୍ସ ବୁଷ୍ଟର ଡୋଜ୍ ଦାମ୍ ୯୦୦ ଟଙ୍କା ରହିଛି । ଟିକାର ଦାମକୁ ଛାଡ଼ି ୧୫୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡିବ । ସମ୍ମୁଖ ଯୋଦ୍ଧା ଓ ୬୦ ବୟସର ଲୋକଙ୍କୁ ମାଗଣରେ ବୁଷ୍ଟ ଡୋଜ୍ ଦିଆଯିବ । ୨ୟ ଡୋଜ୍ ନେଇଥିବାର ୯ ମାସ ହୋଇଥିଲେ ହିତାଧିକାରୀ ବୁଷ୍ଟର ଡୋଜ ନେଇପାରିବେ ।