‘ଟଙ୍କା ପାହାଡ଼ରେ ଶୋଉଛନ୍ତି ଦୁର୍ନୀତିଖୋର, ଏବେ ନିଜ ହଜାଇବେ ସରକାର’

ଭୁବନେଶ୍ୱର,୨୬ା୩:   ଜରୁରୀକାଳୀନ ପରିସ୍ଥିତି ସମୟର ବନ୍ଦୀମାନଙ୍କୁ ପେନ୍‌ସନ୍‌ ଦେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ବିବୃତ୍ତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି ହେଉଛି ସମାଜ ପାଇଁ ଏକ କ୍ୟାନ୍ସର। ଓଡିଶା ପରି ଏକ ବିକାଶଶୀଳ ରାଜ୍ୟକୁ ବିକଶିତ ରାଜ୍ୟ କରିବା ପାଇଁ ଏହି କ୍ୟାନ୍ସରର ସମୂଳେ ଉତ୍ପାଟନ କରିବା ଆବଶ୍ୟକ। ତେଣୁ ଆମ ସରକାର ପ୍ରଥମ ଦିନରୁ ହିଁ ଦୁର୍ନୀତି ବିରୋଧରେ ଯୁଦ୍ଧ କରିଆସୁଛନ୍ତି।

ଗତ ପ୍ରାୟ ଅଢେଇ ଦଶନ୍ଧିରେ ଦୁର୍ନୀତିର ଛାତ୍ରଛାୟା ତଳେ ପରିସ୍ଫୁଟ ହେଉଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଗତ ୯ ମାସ ମଧ୍ୟରେ। ଭୂକମ୍ପନ ସୃଷ୍ଟି ହୋଇଛି। ମୁଁ ବିଭିନ୍ନ ମଞ୍ଚରେ ‘ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ ’ ନୀତି ଅବଲମ୍ବନ ବିଷୟରେ କହି ଆସୁଛି। କେବଳ କଥାରେ ନୁହେଁ, କାର୍ଯ୍ୟରେ ବି ଦୁର୍ନୀତି ବିରୋଧରେ ଯୁଦ୍ଧ ଜାରି ରହିଛି, ପ୍ରଥମ ଦିନରୁ। ଏହାର ଫଳାଫଳ ସମସ୍ତଙ୍କ ସାମ୍ନାରେ।

ଆମ ସରକାର ଶପଥ ଗ୍ରହଣ କରିବା ପରଠାରୁ ଅଦ୍ୟାବଧି ମୋଟ ୩୧୨ ଜଣଙ୍କ ବିରୋଧରେ ମୋଟ ୧୭୩ଟି ମାମଲା ରୁଜୁ କରାଯାଇଛି ଏବଂ ମୋଟ ୧୫୬ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ମକଦ୍ଦମାରେ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ୨୯୭ଟି ମାମଲାରେ ତଦନ୍ତ ସମାପ୍ତି କରାଯାଇ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି । ୮୨ଟି ମକଦ୍ଦମାରେ ସମୁଦାୟ ୧୨୩ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଭିଜିଲାନ୍ସ ଅଦାଲତର ଦଣ୍ଡାଦେଶ ଯୋଗୁ ମୋଟ ୧୧ ଜଣ ଲୋକସେବକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏହା ବ୍ୟତୀତ, ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ୯୭ ଜଣ ବ୍ୟକ୍ତିଙ୍କ ବିରୋଧରେ ୫୩ଟି ମକଦ୍ଦମା ରୁଜୁ କରାଯାଇଛି ଯେଉଁଥିରେ ପ୍ରାୟ ୧୩୧ କୋଟି ୯୦ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି।

ରାଜ୍ୟ ଦୁର୍ନୀତିନିବାରଣ ନିର୍ଦ୍ଦେଶାଳୟକୁ ସଶକ୍ତ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୧୩୩ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟ ବରାଦ ପ୍ରଶାସନିକ ଖର୍ଚ୍ଚ ବାବଦରେ କରାଯାଇଛି । ଏହାଛଡା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଅଣ-ଆବାସିକ ତଥା ଆବାସିକ ଭିତ୍ତିଭୂମିର ବିକାଶ ନିମନ୍ତେ ୩୬ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଆମ ସରକାରଙ୍କ ଲକ୍ଷ୍ୟ ହେଉଛି, ଦୁର୍ନୀତିଗ୍ରସ୍ତ ଅଫିସର ଏବଂ ଦୁର୍ନୀତିଗ୍ରସ୍ତଙ୍କ ମନରେ ଭୟ ସଂଚାର କରିବା। ଗତ ସରକାରଙ୍କ ଅମଳରେ ଦୁର୍ନୀତି ଉପାୟରେ ଉପାର୍ଜନ କରିଥିବା ଟଙ୍କାର ପାହାଡରେ ଶାନ୍ତିରେ ନିଦ୍ରା ଯାଉଥିଲେ, କିନ୍ତୁ ଯେଉଁମାନେ ଟଙ୍କା, ସୁନା, ଗହଣା, ପ୍ଳଟ, ଫ୍ଲାଟ ଅନୈତିକ ଉପାୟରେ ଉପାର୍ଜନ କରିଛନ୍ତି, ଆଜି ସେମାନେ ପ୍ରତିମୁହୂର୍ତ୍ତରେ ଭୟାତୁର। ସେମାନେ ଡରିବା ଉଚିତ, କାରଣ ‘ୟେ ଡର୍ ଆଚ୍ଛା ହୈ’। ସରକାରଙ୍କ ଦୁର୍ନୀତି ବିରୋଧରେ ଏହି ଯୁଦ୍ଧମଂ ଦେହି ଡାକରାରେ ରାଜ୍ୟବାସୀ ଅତ୍ୟନ୍ତ ଖୁସି ଅଛନ୍ତି ଏବଂ ଆପଣଙ୍କ ମାଧ୍ୟମରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବାକୁ ଚାହେଁ ଯେ, ଏପରି ଦୁର୍ନୀତିଖୋର ଅଧିକାରୀଙ୍କ କାରନାମା ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ, ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।