ଜୁଲାଇ 4ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ଓଡ଼ିଆ ଦର୍ଶକଙ୍କୁ ନୂଆ ଭେଟି

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ଉପରେ ପର୍ଯ୍ୟବେସିତ ଓଡ଼ିଆ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ରିଲିଜ ତାରିଖ ପ୍ରକାଶ ପାଇଛି ।

ସୂଚନା ମୁତାବକ, ଜୁଲାଇ 4 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ସବୁଠୁ ବଡ କାନଭାସର ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’। ପ୍ରଯୋଜନା ପରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିବା ବିନି ସାମଲଙ୍କ ନିର୍ଦ୍ଦେଶିତ ଏହା ପ୍ରଥମ ଚଳଚ୍ଚିତ୍ର।

ଜଗନ୍ନାଥଙ୍କ ମହିମା ଆଧାରିତ ତଥା ତାରକା ଖଚିତ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିବା ପାଇଁ କଳାକାର ଓ ଟେକ୍ନିସିଆନଙ୍କୁ ପ୍ରାୟ ତିନି ବର୍ଷ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି।

ଏଥିରେ ସିଦ୍ଧାନ୍ତ, ସୂର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଶ୍ରୀତମ, ଅଂଶୁମାନ, ପିଙ୍କି ପ୍ରଧାନ, କୁନା ତ୍ରିପାଠୀ, କେଦାର ମିଶ୍ର, ଶଙ୍କର, ଦେବୁ ପଟ୍ଟନାୟକ, ପ୍ରିୟଙ୍କା ସାହୁ, ଋଷି ପଟ୍ଟନାୟକ, ଶମ୍ଭୁନାଥ ଖୁଣ୍ଟିଆ ପ୍ରମୁଖ ଅଭିନୟ କରିଛନ୍ତି।

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

ଏଥିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟବ୍ରତ ସାହୁ। ଡ. ନିର୍ମଳ ନାୟକଙ୍କ ରଚିତ’ଜଗତରେ ପାଇଲିନି ଏମିତି ଠାକୁର’ ଗୀତଟି ବେଶ ଭାଇରାଲ ହୋଇଛି।

ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ମଧ୍ୟ ଗୀତ ରଚନା କରିବା ସହିତ ଦୁଇଟି ଗୀତରେ ସଙ୍ଗୀତ ଦେଇଛନ୍ତି। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବବି ଇସଲାମ ଓ ଜିତୁ ରାଉତ।