fbpx

ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଓଡ଼ିଆ ଭାଷାର ଉନ୍ନତି ଓ ଲୋକପ୍ରିୟତା ବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ। ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବ । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବ । ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରାଯିବ । ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍‌ ମାନେ ଯୋଗ ଦେଇ ଓଡ଼ିଆ ଭାଷାର Antiquity (ସର୍ବ ପ୍ରାଚୀନତା) ଓ Continuity (ନିରନ୍ତରତା) ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ ।

ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ । ଏଥିସହ ବିଶେଷଜ୍ଞ ମାନେ ଏହି ତିନି ଦିନରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ । ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ। ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖି ହେବ ଏ ସମ୍ପର୍କରେ ମଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ବିଶ୍ୱର କଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀ ମାନଙ୍କ ନିମନ୍ତେ ଏକ ନୂତନ ଆଲୋକବର୍ତ୍ତିତା ହେବ ।

Get real time updates directly on you device, subscribe now.