fbpx

ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ଅନୁରୋଧ, ମଦ୍ୟପାନ କରିବାକୁ ବିବଶ ସେନାର ଜଣେ ଯବାନଙ୍କୁ ଦୟା କରନ୍ତୁ

ନୂଆଦିଲ୍ଲୀ: ସେନାର ଜଣେ ଯବାନଙ୍କ ପେନସନ ରାଶି ରୋକିବା ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, କାରଗିଲ୍ ଯୁଦ୍ଧ ଲଢି ସାରିଥିବା ଭାରତୀୟ ସେନାର ଜଣେ ଯବାନଙ୍କୁ କେନ୍ଦ୍ର ସରକାର ଟିକେ ଦୟା କରନ୍ତୁ। ଏହି ଯବାନଙ୍କ ପ୍ରତି ବଡ ହୃଦୟ ଦେଖାନ୍ତୁ। ଉଲ୍ଲେଖନୀୟ ଭାରତୀୟ ସେନାର ଜଣେ ଯବାନ ନିଶାଖୋର ହୋଇ ସାରିଥିଲେ। ନିତିଦିନ ମଦ୍ୟପାନ କରୁଥିଲେ। ଏହି କାରଣରୁ ତାଙ୍କୁ ସେନାରୁ ବହିଷ୍କାର କରି ଦିଆଯାଇଥିଲା। ପରେ ସେନାର ଏକ ଟ୍ରାଇବ୍ୟୁନାଲ ଉକ୍ତ ଯବାନଙ୍କୁ ପେନସନ ଦେବାକୁ ଆଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଅନୁଶାସନହୀନତାରେ ଦୋଷୀ ସାବ୍ୟସ୍ତ ଯବାନଙ୍କୁ ସାଧାରଣତଃ ପେନସନ ମିଳେ ନାହିଁ। ମାତ୍ର ଟ୍ରାଇବ୍ୟୁନାଲ ତାଙ୍କୁ ଦିବ୍ୟାଙ୍ଗ ମାନି ପେନସନ ଦେବାକୁ ଆଦେଶ ଦେଇଥିଲେ। ଏହି ମାମଲାରେ କେନ୍ଦ୍ର ସରକାର କୋର୍ଟରେ ଦଲିଲ୍ ଦେଇଥିଲେ ଯେ, ଟ୍ରାଇବ୍ୟୁନାଲଙ୍କ ପେନସନ ଦେବାର ଆଦେଶ ଠିକ୍ ନଥିଲା। ସରକାରଙ୍କ ତର୍କ ଏହା ଯେ, ଅନୁଶାସନହୀନତାକକୁ ଦିବ୍ୟାଙ୍ଗ ବିବେଚନା କରାଯାଇ ପାରିବ ନାହିଁ। ନିଶାଖୋର ଲୋକଙ୍କୁ ଅନୁଶାସନହୀନତା କୁହାଯାଏ।

ସୋମବାର ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଏହି ମାମଲାକୁ ଅଲଗା ଦୃଷ୍ଟିକୋଣରେ ଦେଖାଯାଉ। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ କହିଛନ୍ତି, ଏହି ଯବାନ କାରଗିଲ୍ ଯୁଦ୍ଧରେ ସାମିଲ୍ ଥିଲେ। ଯେବେ ଆମେ ସହିଦ ଯବାନଙ୍କ କଫିନ ଦେଖୁ ଆମ ମନରେ ଭିନ୍ନ ଅନୁଭବ ଆସିଥାଏ। ଏଥିପାଇଁ ସରକାର ବଡ ହୃଦୟ ଦେଖାଇ ଏହି ମାମଲାକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତୁ।

ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, ପେନସନ ରୋକିବାର ପ୍ରଭାବ କେବଳ ସେହି ଯବାନଙ୍କ ଉପରେ ନୁହେଁ ବରଂ ପୂରା ପରିବାର ଉପରେ ପଡିବ। ଆମକୁ ପରିବାର ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର। ଯଦି ସମ୍ଭବ ତେବେ ସରକାର ଏହି ଯବାନଙ୍କ ମାମଲାକୁ ଏକ ଅପବାଦ ଦୃଷ୍ଟିରେ ଦେଖନ୍ତୁ। ସୁପ୍ରିମକୋର୍ଟଙ୍କ କହିବା କଥା ଏହି ଯବାନଙ୍କ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଆଗାମୀ ସମୟ ପାଇଁ ଗୁରୁତ୍ଵବହନ କରିବ ନାହିଁ। କେବଳ ଏହି ଯବାନଙ୍କ ଉପରେ ଲାଗୁ ହେବ।

କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ପୁନର୍ବାର ବିଚାର କରିବାକକୁ ଅନୁରୋଧ କରିଛନ୍ତି ଏବଂ ଏହା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

Get real time updates directly on you device, subscribe now.