ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରି କରଣ ଭିତରେ ହଜିଗଲାଣି ଗାଉଁଲି ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ କରୁଛି ମଣିଷ । ଏହାରି ଭିତରେ କେତେ ଯେ ପିଢି ଗଲେଣି ତାହାର କିଛି ହିସାବ ନାହିଁ । ହେଲେ ଆଜିବି ବଞ୍ଚି ରହିଛି କିଛି ସେମାନଙ୍କ ଦ୍ୱାରା ଆଦୃତ ହୋଇଥିବା କେତେକ ଖାଦ୍ୟ । ସେ ରନ୍ଧା ଖାଦ୍ୟ ହେଉ କି କଞ୍ଚା ଫଳ-ପରିବା । ହେଲେ କେତେବେଳେ ଯେ ଏସବୁ ମଣିଷ ଭୁଲି ଗଲେଣି ତାହା ବି ଜଣା ନାହିଁ । ଏବେତ ଯୁଗ ସହିତ ତାଳ ଦେଇ ବଞ୍ଚିବାକୁ ପଡ଼ିବ । ପୂର୍ବର ଖାଦ୍ୟକୁ କିଏ ପଚାରେ ।
ଦିନ ଥିଲା ଚୂଡ଼ା, ମୁଢ଼ି,ଉଖୁଡ଼ା,ଛେନା, ଗୁଡ଼କୁ ସବୁ ଜଳଖିଆରେ ଖାଉ ଥିଲେ । ହେଲେ ଏବେତ, ପିଲାଙ୍କ କଥା ଛାଡ଼ ବୁଢ଼ା-ବୁଢୀ ବି ଆଉ ଏସବୁ ଖାଇବାକୁ ପସନ୍ଦ କରୁନାହାନ୍ତି । ନାତି-ନାତୁଣିଙ୍କ ସହ ମିଶି ମ୍ୟାଗି, ଚାଉମିନ୍, ପିଜ୍ଜା, ବର୍ଗରର ମଜା ନେଉଛନ୍ତି । ତେବେ ଏସବୁ ଭିତରେ ତାଳଗଜା ତାର ପରିଚୟ ହଜାଇ ଦେଲାଣି । ପାର୍ବଣ ଆସିଲେ ଆଉ ବାଡ଼ି ପଟ ଭାଡ଼ିରେ ତାଳଗଜା ଦେଖିବାକୁ ମିଳୁନି । କି କେହି ଆଣି ହାଣୁ ନାହାନ୍ତି । କିଛି ଲୋକ ତ ଏହାର ସ୍ୱାଦ ଭୁଲିଗଲେଣି । ଏବେର ପିଲା ଦେଖିଲେ ପଚାରୁଛନ୍ତି ଇଏ କ’ଣ ? ତେବେ ଏଠି ମନରେ ପ୍ରଶ୍ନ ଆସୁଛି ସତରେ କ’ଣ ତାଳଗଜାକୁ ଭୁଲିଯିବେ ଆମ ଆଗାମୀ ପିଢ଼ି ।