‘ବେଣ୍ଟମୁଆଁ’କୁ ଜାଣିଥିବା ଶେଷ ପୀଢ଼ି ଏବେର ବାପା-ମାଆ; ପିଲା ଦେଖି ପଚାରୁଛନ୍ତି ଇଏ କ’ଣ ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରିକରଣ ଭିତରେ ହଜିଗଲାଣି ପାରମ୍ପରିକ ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ କରୁଛି ମଣିଷ । ଏହାରି ଭିତରେ କେତେ ଯେ ପୀଢି ଗଲେଣି ତାହାର କିଛି ହିସାବ ନାହିଁ ।

ହେଲେ ଆଜିବି ବଞ୍ଚି ରହିଛି କିଛି ସେମାନଙ୍କ ଦ୍ୱାରା ଆଦୃତ ହୋଇଥିବା କେତେକ ଖାଦ୍ୟ । ସେ ରନ୍ଧା ଖାଦ୍ୟ ହେଉ କି କଞ୍ଚା ଫଳ-ପରିବା । ହେଲେ କେତେବେଳେ ଯେ ଏସବୁ ମଣିଷ ଭୁଲି ଗଲେଣି ତାହା ବି ଜଣା ନାହିଁ । ଏବେତ ଯୁଗ ସହିତ ତାଳ ଦେଇ ବଞ୍ଚିବାକୁ ପଡ଼ିବ । ପୂର୍ବର ଖାଦ୍ୟକୁ କିଏ ପଚାରେ ।

ହଜି ଯିବ କି ବେଣ୍ଟମୁଆଁ: ଦିନ ଥିଲା ଚୂଡ଼ା, ମୁଢ଼ି,ଉଖୁଡ଼ା,ଛେନା, ଗୁଡ଼କୁ ସବୁ ଜଳଖିଆରେ ଖାଉ ଥିଲେ । ହେଲେ ଏବେତ, ପିଲାଙ୍କ କଥା ଛାଡ଼ ବୁଢ଼ା-ବୁଢୀ ବି ଆଉ ଏସବୁ ଖାଇବାକୁ ପସନ୍ଦ କରୁନାହାନ୍ତି । ନାତି-ନାତୁଣିଙ୍କ ସହ ମିଶି ମ୍ୟାଗି, ଚାଉମିନ୍, ପିଜ୍ଜା, ବର୍ଗରର ମଜା ନେଉଛନ୍ତି ।

ତେବେ ଏସବୁ ଭିତରେ ‘ବେଣ୍ଟମୁଆଁ’ ତାର ପରିଚୟ ହଜାଇ ଦେଲାଣି । ପୌଷ ମାସ ଆସିଲେ ପୋଖରୀରେ କଇଁ-ପଦ୍ମର ଫଳ ସଂଗ୍ରହ କରି ସେଥିରୁ ଖଇ ପ୍ରସ୍ତୁତ କରାଯାଇ ଗୁଡ଼ରେ ପ୍ରସ୍ତୁତ ହୁଏ ବେଣ୍ଟମୁଆଁ ।

ସତ କହିବାକୁ ଗଲେ ଆଉ କେହି ପ୍ରସ୍ତୁତ କରୁ ନାହାନ୍ତି । କିଛି ଲୋକ ତ ଏହାର ସ୍ୱାଦ ଭୁଲିଗଲେଣି । ଏବେର ପିଲା ଦେଖିଲେ ପଚାରୁଛନ୍ତି ଇଏ କ’ଣ ?

ତେବେ ଏଠି ମନରେ ପ୍ରଶ୍ନ ଆସୁଛି ସତରେ କ’ଣ ବେଣ୍ଟମୁଆଁକୁ ଭୁଲିଯିବେ ଆମ ଆଗାମୀ ପୀଢ଼ି , ଏ ପୀଢ଼ି  ପରେ କାଳିଆକୁ କିଏ ଦେବ ବେଣ୍ଟମୁଆଁ?