fbpx

ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା: କରୋନା ଆକ୍ରାନ୍ତଙ୍କୁ ଦୁଇଥର ମୃତ ବୋଲି କହିବାପରେ ବି ବଞ୍ଚିଛନ୍ତି ରୋଗୀ

ମଧ୍ୟପ୍ରଦେଶ, ୧୭ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଜାରି ରହିଥିବା ବେଳେ ରୋଗୀ ମାନଙ୍କୁ ନେଇ ହେଉଥିବା ଅବହେଳାର ଖବର ମଧ୍ୟ ସାମନାକୁ ଆସୁଛି । ମଧ୍ୟପ୍ରଦେଶର ବିଦିଶାରୁ ଏଭଳି ଏକ ଘଟଣା ପଦାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ହସ୍ପିଟାଲର ଅବହେଳା ପାଇଁ ଗୋଟିଏ ରୋଗୀଙ୍କୁ ଦୁଇ ଦୁଇ ଥର ମୃତ ବୋଲି ଘୋଷଣା କରାଗଲା । ଏହାପରେ ସେ ଫୋନ୍ କରି ପରିବାର ଲୋକଙ୍କୁ କହିଲେ ଯେ, ମୁଁ ବଞ୍ଚିଛି ।

ସୁଚନା ଯେ, ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ ରହୁଥିବା ଗୋରେଲାଲ୍ କୌରି ନାମକ ଜଣେ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କୁ ବିଦିଶା ଠାରେ ଥିବା ଅଟଳ ବିହାରୀ ବାଜପେୟୀ ମେଡିକାଲରେ ଭର୍ତ୍ତି କରାଗଲା । ହେଲେ ୧୩ ଏପ୍ରିଲରେ ତାଙ୍କ ପରିବାରଲୋକଙ୍କ ପାଖକୁ ମେଡିକାଲ୍ କର୍ତ୍ତୃପକ୍ଷ ଫୋନ୍ କରି କହିଲେ ଯେ, ଗୋରେଲାଲଙ୍କର ମୃତ୍ୟୁ ହୋଇଯାଇଛି । ଖବର ଶୁଣି ଯେତେବେଳେ ପରିବାର ଲୋକ ମେଡିକାଲରେ ପହଞ୍ଚିଲେ ସେତେବେଳେ ସ୍ୱାସ୍ଥ୍ୟକର୍ମୀ କହିଲେ ଯେ, ସେ ମରିନାହାନ୍ତି ତାଙ୍କ ଶ୍ୱାସକ୍ରିୟା ଚାଲିଛି । ହେଲେ ଏହାପରେ ୧୪ ଏପ୍ରିଲରେ ପୁଣି ଥରେ ମେଡିକାଲରୁ ଫୋନରେ କୁହାଗଲା ଯେ, ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଖବର ଶୁଣି ପରିବାର ଲୋକ କହିଲେ ରୋଗୀଙ୍କୁ ସେମାନେ ଭେଟିବାକୁ ଚାହୁଁଛନ୍ତି । କିନ୍ତୁ ସେଠାକାର ସ୍ୱାସ୍ଥ୍ୟକର୍ମୀ ମାନେ କହିଲେ ଯେ, ନଗର ପାଳିକା ତରଫରୁ ରୋଗୀଙ୍କ ଅନ୍ତିମ ସଂସ୍କାର କରାଯିବ ।

ଏହାପରେ ପରିବାର ଲୋକଙ୍କ ପକ୍ଷରୁ ରୋଗୀଙ୍କୁ ଦେଖିବାକୁ ଦାବି ଜୋର ଧରିଲା । ଆଉ ଦେଖିଲାବେଳକୁ ମରିଥିବା ବ୍ୟକ୍ତି ଜଣକ ଗୋରେଲାଲ ନଥିଲେ । ସେ ଆଉ ଜଣେ କେହି ଥିଲେ । ବହୁତ ଯାଞ୍ଚ ପରେ ଜଣାପଡିଲା ଯେ, ଗୋରେଲାଲଙ୍କର ଅବସ୍ଥା ଗୁରୁତର ରହିଛି ତାଙ୍କୁ ଆଇସୋଲେସନରେ ଭର୍ତ୍ତି କରାଯାଇଛି । ତେବେ ଖାଲି ଏହା ନୁହେଁ ଆଗରୁ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.