ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ଝିପଝିପ ବର୍ଷା। ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟରେ ଗତକାଲି ଅର୍ଥାତ ଶୁକ୍ରବାରଠାରୁ ଝିପଝିପ ବର୍ଷା ଲାଗିରହିଛି। ଏଥିସହ ଶୀତ ଯୋଗୁଁ ଥଣ୍ଡା ଅନୁଭୂତ ହେଉଛି। ଏହି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ଏହି ବର୍ଷା ଆସନ୍ତା କାଲି ଯାଏଁ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଜାରି କରିଛି।
ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ପାଣିପାଗକୁ ନେଇ ସୂଚନା ଜାରି କରିଛନ୍ତି। ସୂଚନା ମୁତାବକ, ଆସନ୍ତା କାଲିଠାରୁ ବର୍ଷା କମିଯିବ। ବର୍ଷା କମିବା ସହ ପାଗ କୋହଲା ରହିବ। ହେଲେ ଦକ୍ଷିଣ ଉପକୂଳ ଜିଲ୍ଲାରେ କାଲି ମଧ୍ୟ ଏହି ଝିପଝିପ ବର୍ଷା ଜାରି ରହିବ। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ବର୍ଷା ଜାରି ରହିବ। ଆସନ୍ତା ୪୮ ଘଣ୍ଟାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଦିନ ତାପମାତ୍ରା କମିବା ସହ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି।