ଖସି ପଡ଼ିଲା ନିର୍ମାଣାଧିନ ଟନେଲର ଛାତ, ସୁଡ଼ଙ୍ଗ ତଳେ ଫସି ରହିଛନ୍ତି ୬ରୁ ଅଧିକ ଶ୍ରମିକ
ପୁଣି ଏକ ବଡ଼ ଦୁର୍ଘଟଣା। ଟନେଲ୍ କାମ ଚାଲିଥିବା ବେଳେ ଖସି ପଡ଼ିଲା ଛାତ। ଅନେକ ଶ୍ରମିକ ଆହତ ହୋଇଥିବା ବେଳେ, ପାଖାପାଖି ୮ ଜଣ ଶ୍ରମିକ ସୁଡ଼ଙ୍ଗ ତଳେ ଫସି ରହିଥିବା ଅନୁମାନ କରାଯାଉଛି।
ହାଇଦ୍ରାବାଦ: ଘଟିଗଲା ବଡ଼ ଅଘଟଣ। ଶ୍ରମିକ ମାନଙ୍କ ଉପରେ ଖସି ପଡିଲା ନିର୍ମାଣାଧିନ ସୁଡଙ୍କର ଛାତ। ଯେଉଁ ଦୁର୍ଘଟଣାରେ ଅନେକ ଶ୍ରମିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ପାଖାପାଖି ୬ରୁ୮ ଜଣ ଏବେବି ସୁଡଙ୍ଗ ଭିତରେ ଫସି ରହିଥିବା କୁହାଯାଉଛି।
ଘଟଣାଟି ହେଉଛି ତେଲେଙ୍ଗାନାର ନାଗରକୁର୍ନୁଲ ଜିଲ୍ଲାର। ଯେଉଁଠାରେ ଶ୍ରୀଶେଲମ ଲେଫ୍ଟ ବ୍ୟାଙ୍କ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସୁଡଙ୍ଗ ଭିତରେ ପାଖାପାଖି ୧୨-୧୩ କିଲୋମିଟର କାମ କରୁଥିବା ସମୟରେ ହଠାତ୍ ସୁଡଙ୍ଗର ଛାତ ଭୁଶୁଡି ପଡିଥିଲା।
ଉଦ୍ଧାର କାର୍ଯ୍ୟ ଜାରି: ଛାତ ଭୁଶୁଡି ପଡିବାରୁ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଅନେକ ଶ୍ରମିକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ଏବେଯାଏଁ ଆହୁରି ଶ୍ରମିକ ଭୁଶୁଡି ପଡିଥିବା ଛାତ ତଳେ ଫସି ରହିଥିବା କୁହାଯାଉଛି।
ଅନୁମାନ କରାଯାଉଛି ପାଖାପାଖି ୬-୮ ଜଣ ଶ୍ରମିକ ଏଠାରେ ଫସି ରହିଛନ୍ତି। ହେଲେ ପ୍ରକୃତରେ କେତେ ଜଣ ଶ୍ରମିକ ଫସିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରିବା ପାଇଁ ପ୍ରୟାସ ଚାଲିଛି।
ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ସେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ତେଲେଙ୍ଗାନା ଜଳସେଚନ ମନ୍ତ୍ରୀ ଏନ ଉତ୍ତମ କୁମାର ରେଡ୍ଡି ହେଲିକପ୍ଟର ଯୋଗେ ଘଟଣାସ୍ଥଳକୁ ଯାଇଛନ୍ତି। ସରକାରୀ ଜଳସେଚନ ପରାମର୍ଶଦାତା ଆଦିତ୍ୟନାଥ ଦାସ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ତାଙ୍କ ସହିତ ଯାଇଛନ୍ତି।
ଯଥା ସମ୍ଭବ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଟନେଲରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ମଧ୍ୟ ସମସ୍ତ ଚେଷ୍ଟା ଜାରି ରହିଛି।