fbpx

ବଡଦାଣ୍ଡରେ ବିରାଟ ଅଘଟଣ: ବାହୁଡାଯାତରେ ଛିଡିଲା ତାଳଧ୍ୱଜ ରଥର ଦଉଡି, ଭକ୍ତ ଆହତ

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମାଉସୀ ଘରେ ନବଦିନାତ୍ମକ ଲୀଳାଶେଷ କରି ପୁଣି ବଡ ଦେଉଳକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ବଡ ଭାଇ ବଳଭଦ୍ର ଶରଧାବାଲିରୁ ବାହାରି ଶ୍ରୀମନ୍ଦିରକୁ ଆସିଥିଲେ ଏବଂ ପରେ ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ରଥାରୂଢ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହାରି ଆସିଛନ୍ତି । ତେବେ ବଡଠାକୁରଙ୍କ ତାଳଧ୍ୱଜରଥ ବଡଦାଣ୍ଡରେ ପହଞ୍ଚି ସାରିଛି । କିନ୍ତୁ ବଡଦାଣ୍ଡରେ ପହଞ୍ଚିବା ପୂର୍ବରୁ ମାର୍କେଟଛକ ନିକଟରେ ଘଟିଯାଇଛି ଏକ ବିରାଟ ଅଘଟଣ । ତାଳଧ୍ୱଜ ରଥଟଣା ସମୟରେ ରଥର ଦଉଡି ଛିଡି ଯାଇଛି । ଯାହା ଭକ୍ତମାନଙ୍କୁ ଏକ ଅଶୁଭ ସଂକେତ ଦେଇଛି ।

ଶରଧାବାଲିରୁ ବଡଦାଣ୍ଡ ଅଭିମୁଖେ ବାହୁଡିବା ବେଳେ ମାର୍କେଟ ଛକରେ ଏକ ଅଶୁଭ ଘଟଣା ଘଟି ଯାଇଛି । ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡି ଛିଡିଯାଇଛି । ଯାହା ଫଳରେ ସେଠାରେ ଏକ ବଡ ଅଘଟଣ ଘଟିଯାଇଛି । ରଥର ଦଉଡି ଛିଡିଯିବାରୁ ଜଣେ ଭୋଇ ସେବାୟତ ଆହତ ହୋଇଛନ୍ତି । ତେବେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଛି । କିନ୍ତୁ ଏମିତି ରଥର ଦଉଡି ଛିଡିଯିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ପବିତ୍ର ବାହୁଡା ଯାତ୍ରାରେ ରଥ ଦଉଡି ଛିଡିବା ଏକ ଅଶୁଭ ସଂକେତ ବୋଲି ଚର୍ଚ୍ଚା ହେବାକୁ ଲାଗିଲାଣି ।

ସେପଟେ ରଥଟଣା ସମୟରେ ଅଣନିଶ୍ୱାସୀ ହୋଇ ୮ ଜଣରୁ ଅଧିକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ପଡିଛନ୍ତି । ରଥ ନିକଟରେ ପ୍ରବଳ ଭିଡ ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି । ଏହାପୂର୍ବରୁ ଠେଲାପେଲା ଯୋଗୁଁ ୬ ଜଣ ଭକ୍ତ ଆହତ ହୋଇଛନ୍ତି । ନନ୍ଦିଘୋଷ ରଥର ୩ ଏବଂ ତାଳଧ୍ୱଜ ରଥରୁ ୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜାଣିବାକୁ ମିଳିଛି । ତେବେ ସମସ୍ତ ଆହତମାନଙ୍କୁ ଭିଡ ଭିତରୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.