ଭୁବନେଶ୍ୱର : କାମାକ୍ଷା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ୩ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଯେଉଁ ଏକ୍ସପ୍ରେସର ଗତିପଥ ବଦଳିଛି, ସେଗୁଡ଼ିକ ହେଉଛି-ଧଉଳି, ନୀଳାଚଳ ଓ ପୁରୁଲିଆ ଏକ୍ସପ୍ରେସ ।
ଅନ୍ୟପଟେ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । କଟକ ପାଇଁ ହେଲ୍ପଲାଇନ ନମ୍ବର ହେଉଛି ୭୨୦୫୧୪୯୫୯୧ । ଭୁବନେଶ୍ୱର ପାଇଁ ହେଲ୍ପଲାଇନ ନମ୍ବର ହେଉଛି ୮୪୫୫୮୮୫୯୯୯ । ଭଦ୍ରକପାଇଁ ହେଲ୍ପଲାଇନ ନମ୍ବର ହେଉଛି ୯୪୩୭୪୪୩୪୬୯ । ଦୁର୍ଘଟଣାସ୍ଥଳ ପାଇଁ ନମ୍ବର ହେଉଛି ୮୯୯୧୧୨୪୨୩୮ । ଖୋର୍ଦ୍ଧା ପାଇଁ ହେଲ୍ପଲାଇନ ନମ୍ବର ହେଉଛି-୦୬୭୪୨୪୯୨୨୪୫ ।
ସୂଚନାଯୋଗ୍ୟ ଯେ, ରବିବାର କଟକ ଚୌଦ୍ବାର-ମଙ୍ଗୁଳି ଷ୍ଟେସନ ନିକଟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ନିର୍ଗୁଣ୍ଡିରେ ଏହି ଏକ୍ସପ୍ରେସ୍ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି । ଏହି ଏକ୍ସପ୍ରେସ୍ ଟ୍ରେନ୍ର ୮ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।
ଟ୍ରେନ୍ର ବି-୬ରୁ ବି-୧୪ ପର୍ଯ୍ୟନ୍ତ ବଗି ଟ୍ରାକ୍ରୁ ଖସିପଡ଼ିଛି । ନିକଟରେ ଥିବା ଜଙ୍ଗଲ ଏବଂ ବିଲକୁ ଟ୍ରେନ୍ର ବଗି ଗୁଡ଼ିକ ଟ୍ରାକ୍ରୁ ଖସି ମାଡ଼ି ଯାଇଛି । ତେବେ ଏହି ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି କରିଛି । ଘଟଣାସ୍ଥଳରେ ମଧ୍ୟ ଜିଆରପି ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।
ଟ୍ରେନ୍ର ଏତେ ସଂଖ୍ୟକ ବଗି ଲାଇନଚ୍ୟୁତ ହେବା ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଫଳରେ ଅନେକ ଯାତ୍ରୀ ଟ୍ରେନ୍ରୁ ଡେଇଁ ପଡିଥିଲେ । ଏଥିପାଇଁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଏହି ଲାଇନ୍ରେ ଆସିବାକୁ ଥିବା ଅନ୍ୟ ଟ୍ରେନ୍ଗୁଡିକୁ ବାତିଲ କରିଦିଆଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି ।