fbpx

ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଝୁଲୁଛି ବିପଦର ଘଣ୍ଟି: ଏମିତି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରେ ଅଧିନାୟକ ଭାର ସମ୍ଭାଳୁଛନ୍ତି । ନିୟମିତ ଅଧିନାୟକ ରୋହିତ ଶର୍ମା ସିରିଜ ପୂର୍ବରୁ ବିଶ୍ରାମ ନେଇଥିବା ବେଳେ ଉପଅଧିନାୟକ ରାହୁଲ ଆହତ ହୋଇ ଦଳରୁ ବାଦ ପଡିଥିଲେ । ତେଣୁ ଋଷଭ ପନ୍ତଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । କିନ୍ତୁ ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ତୃତୀୟ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଏହି ସମୟରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ୱାସିମ ଜାଫର ଦେଇଛନ୍ତି ଏକ ବଡ ବୟାନ ।

ଲଗାତାର ଦଳର ଅଂଶ ରହିଥିବା ପନ୍ତଙ୍କ ବ୍ୟାଟିଂକୁ ନେଇ ଏବେ ଉଠିଛି ପ୍ରଶ୍ନ । ଗତ କିଛି ଦିନରୁ ତାଙ୍କ ବ୍ୟାଟ ସମ୍ପୂର୍ଣ୍ଣ ଶାନ୍ତ ରହିଥିବା ବେଳେ ନିରନ୍ତରତାର ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି । ତେଣୁ ଆଗକୁ ଭାରତୀୟ ଦଳରେ ଋଷଭ ପନ୍ତଙ୍କ ସ୍ଥାନ ବିପଦରେ ଥିବା ନେଇ କହିଛନ୍ତି ଭାରତର ପୂର୍ବତନ ଓପନର ୱାସିମ ଜାଫର । ପ୍ରଦର୍ଶନରେ ନିରନ୍ତରତା ଅଭାବ ପନ୍ତଙ୍କୁ ଦଳରୁ ବିଦା କରିପାରେ । ତେବେ ତାଙ୍କ ସ୍ଥାନରେ କେ.ଏଲ ରାହୁଲ ଦମଦାର ବ୍ୟାଟିଂ ସହ ୱିକେଟ କିପିଙ୍ଗ ମଧ୍ୟ କରିପାରିବେ । ସେହିପରି ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଯଦି ଲଗାତାର ଭଲ ରୁହେ, ତେବେ ସେ ମଧ୍ୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଜଣେ ଭଲ ବିକଳ୍ପ ହୋଇପାରନ୍ତି । ତେଣୁ ଗତ କିଛି ଦିନର ବା ସିରିଜର ପ୍ରଦର୍ଶନକୁ ଲକ୍ଷ୍ୟ କଲେ ଦଳରେ ତାଙ୍କ ସ୍ଥାନ ଅନିଶ୍ଚିତତାରେ ରହିଛି ବୋଲି କହିଛନ୍ତି ଜାଫର ।

ଋଷଭ ପନ୍ତଙ୍କୁ ଲଗାତାର ରନ କରିବାକୁ ପଡିବ ବୋଲି ଜାଫର କହିଛନ୍ତି । ଆଇପିଏଲରେ ଫେଲ ହେବା ସହିତ ଅନ୍ତର୍ଜାତୀୟ ମ୍ୟାଚ ଗୁଡିକରେ ମଧ୍ୟ ସେ ନିରାଶଜନକ ପ୍ରଦର୍ଶନ କରିଛନ୍ତି । ଦିନିକିଆ ତଥା ଟେଷ୍ଟରେ ଯେଉଁଭଳି ଖେଳିଛନ୍ତି, ଟି-୨୦ରେ ଆଶାନୁରୂପ ଖେଳ ଦେଖାଇ ପାରି ନାହାନ୍ତି ଋଷଭ ପନ୍ତ । ତେଣୁ ଆଗକୁ ଦଳରେ ତାଙ୍କ ସ୍ଥାନ ଉପରେ ବିପଦ ଥିବା କହିଛନ୍ତି ୱାସିମ ଜାଫର ।

Get real time updates directly on you device, subscribe now.