ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଡବଲ ବୋନସ୍

ଓଡ଼ିଶା ଭାସ୍କର: କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। କାରଣ ବର୍ତ୍ତମାନ ସରକାର ସେମାନଙ୍କ ବୋନସକୁ ବୃଦ୍ଧି କରିଛନ୍ତି। ଏଣିକି କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଦୁଇ ଗୁଣା ବୋନସ। ପୂର୍ବରୁ ମିଳୁଥିବା ୨୫ ପ୍ରତିଶତ ବୋନସ ବର୍ତ୍ତମାନ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ଏଥିଲାଗି ସରକାର ୯୮ କୋଟି ଖର୍ଚ୍ଚ କରିବେ। ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଚାଳମାଳ କାର୍ଯ୍ୟକ୍ରମରେ ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ତେବେ ଅନ୍ୟପଟେ ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଇନସେଣ୍ଟିଭ ୫ରୁ ୧୦ ପ୍ରତିଶତକୁ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ସହ ଋତୁକାଳୀନ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି। ହେଡ ଚେକରଙ୍କ ମାସିକ ଦରମା ୨୨ ହଜାର ୬୩୧ ରୁ ୨୪ ହଜାର ୪୨୦କୁ ବୃଦ୍ଧି ପାଇଛି। ସେହିପରି ମହଙ୍ଗା ଭତ୍ତା ୪ ଶହ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେପଟେ ସର୍କଲ ଚେକରଙ୍କ ଦରମା ୧୭ ହଜାର ୭୪୦ରୁ ୨୧ ହଜାରରୁ ଅଧିକ ହୋଇଛି। ଡିଏ ୩୦୦ ରୁ ୪୫୦କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ବନ୍ଧାଳୀ ଚେକରଙ୍କ ଦରମା ୧୪ ହଜାର ୮୦୦ ଟଙ୍କାରୁ ୧୭ ହଜାର ୬୮୦କୁ ବୃଦ୍ଧି ପାଇଛି। ଡିଏ ୨ଶହରୁ ୩ଶହ ଟଙ୍କାକୁ ବୃଦ୍ଧି ପାଇଛି। ମୁନସିଙ୍କ ଦରମା ୧୨ ହଜାର ୪୨୦ରୁ ୧୫ ହଜାର ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ମୁନସି-୨ଙ୍କ ଦରମା ୯ ହଜାର ୮୫୦ରୁ ୧୨ ହଜାର ୩୮୫ ଟଙ୍କାକୁ ବୃଦ୍ଧି।

ସୂଚନା ଥାଉକି, ପଦମପୁର ଉପନିର୍ବାଚନରେ ସରକାର କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଦେଇଥିବା ପ୍ରତଶ୍ରୁତି ପୂରଣ କରିଛନ୍ତି। କାରଣ କେନ୍ଦୁପତ୍ର କେରି ଦର ମଧ୍ୟ ବୃଦ୍ଧି କରିଛନ୍ତି ସରକାର। ଏହା ସହ କେନ୍ଦୁପତ୍ର ତୋଳାଳିଙ୍କ ଦୁଇ ଝିଅଙ୍କ ବିବାହ ଲାଗି ୨୫ ହଜାର ଲେଖାଏ ଅର୍ଥ ସହାୟତା ଦେବାକୁ ଘୋଷଣା କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଲାଗି ମୋଟ ୨ଶହ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।