fbpx

କରୋନା ଭ୍ୟାକ୍ସିନର ସଫଳତା: ବର୍ଷେ ଭିତରେ ଟୀକା ବଞ୍ଚାଇଛି ୪୨ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀରେ ଭ୍ୟାକ୍ସିନକୁ ମିଳିଛି ବଡ଼ ସଫଳତା । ମହାମାରୀ ସମୟରେ ଅନେକ ପରିବାର ନିଜର ଆତ୍ମୀୟଙ୍କୁ ହରାଇଥିବା ବେଳେ କରୋନା ଭ୍ୟାକ୍ସିନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇଛି । ‘ଦ ଲେସେଣ୍ଟ ଇନ୍ଫେକସନ ଡିସିଜ’ନାମକ ପତ୍ରିକାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଯଦି କରୋନା ଭ୍ୟାକ୍ସିନେସନ ହୋଇନଥାନ୍ତା ତେବେ ପାଖାପାଖି ୪୨ ଲକ୍ଷ ଲୋକଙ୍କ ଜୀବନ ଯିବାର ସମ୍ଭାବନା ଥିଲା । ବର୍ଷେ ମଧ୍ୟରେ କରାଯାଇଥିବା ଅନୁସନ୍ଧାନ ଅନୁସାରେ କୋଭିଡ-୧୯ର ଭ୍ୟାକ୍ସିନ ପାଇଁ ୪୨ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି।

ଗବେଷକମାନଙ୍କ ଦ୍ୱାରା ଜଣା ପଡ଼ିଛି ଯେ କରୋନା ଟୀକାକରଣ ପ୍ରକ୍ରିୟାର ପ୍ରଥମ ବର୍ଷରେ ହିଁ ପାଖାପାଖି ୧.୯୮ କୋଟି ଲୋକଙ୍କ ଜୀବନ ଟୀକା ଦ୍ୱାରା ବଞ୍ଚିଯାଇ ପାରିଛି । ୧୮୫ ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁସଂଖ୍ୟାକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବା ଜଣା ପଡ଼ିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ୨୦୨୧ ମସିହାର ଶେଷ ସୁଦ୍ଧା ଯଦି ଦେଶର ପାଖାପାଖି ୪୦ ପ୍ରତିଶତ ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆ ଯିବାର ଲକ୍ଷ ପୁରା କରି ହୋଇ ଥାଆନ୍ତା ତେବେ ୫,୯୯,୩୦୦ ଲୋକଙ୍କ ଜୀବନ ରକ୍ଷା ହୋଇ ପାରି ଥାଆନ୍ତା।

ଏହି ଅନୁସନ୍ଧାନ ୨୦୨୦ ଡିସେମ୍ବର ୮ରୁ ୨୦୨୧ ଡିସେମ୍ବର ୮ମାସ ମଧ୍ୟରେ ହୋଇଥିବା ଟୀକାକରଣ ଦ୍ୱାରା ବଞ୍ଚା ଯାଇଥିବା ଲୋକଙ୍କ ତାଲିକା ଉପରେ ଆଧାରିତ । ଏହି ଅନୁସନ୍ଧାନର ପ୍ରମୁଖ ଲେଖକ ବ୍ରିଟେନର ‘ଇମ୍ପେରିଆଲ କଲେଜ ଲଣ୍ଡନ’ର ଓଲିୱର ୱାଟସନ ଅନୁମାନ କରି କହିଛନ୍ତି ଭାରତର ପାଖାପାଖି ୪୨,୧୦,୦୦୦ ଲୋକଙ୍କ ଜୀବନ କରୋନା ଟୀକା ଦ୍ୱାରା ବଞ୍ଚାଯାଇ ପାରିଛି।

ସୂଚନା ମୁତାବକ ବିଶ୍ୱ ମହାମାରୀ ସମୟରେ ଦେଶରେ ୫୧,୬୦,୦୦୦ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ଥିଲା କିନ୍ତୁ ଟୀକା ଦ୍ୱାରା ଏହାକୁ ନିୟନ୍ତ୍ରଣକୁୁ ଅଣାଯାଇଥିଲା । ‘ଦ ଇକୋନମିଷ୍ଟ’ ଅନୁମାନ ଉପରେ ଆଧାରିତ ରିପୋର୍ଟ ଅନୁସାରେ ଭାରତରେ ୨୦୨୧ ମସିହା ଆରମ୍ଭରେ କରୋନାରେ ୨୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିବା ବେଳେ ସରକାରୀ ସ୍ଥରରେ ଏହି ମୃତ୍ୟୁ ସଂଖ୍ୟା ପାଖାପାଖି ୨,୦୦,୦୦୦ ଥିଲା । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଭାରତରେ ସଂକ୍ରମଣ ଦ୍ୱାରା ପାଖାପାଖି ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି ।

Get real time updates directly on you device, subscribe now.