fbpx
BJD SKY
BJD SKY

ଅବିବାହିତ ବଡ ଭଉଣୀ ଛୋଟ ଭାଇ ଉପରେ ନିର୍ଭରଶୀଳ, ବୀମା କମ୍ପାନୀକୁ ଦେବାକୁ ପଡିବ କ୍ଷତିପୂରଣ: ଅଦାଲତ

BJD

ନୂଆଦିଲ୍ଲୀ: ସଡକ ଦୁର୍ଘଟଣା ମାମଲାରେ ଅଦାଲତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ଅବିବାହିତ ବଡ ଭଉଣୀ କ୍ଷତିପୂରଣ ପାଇବା ହକଦାର ବୋଲି କହିଛନ୍ତି। ଅଦାଲତ ନିଜ ଆଦେଶରେ କହିଛନ୍ତି, ଯୁବକ ନିଜ ବାପା-ମାଆଙ୍କ ଏକ ମାତ୍ର ପୁଅ ଥିଲେ। ସେ ପିତାଙ୍କୁ ଘର ଚଲାଇବାରେ ସାହାଯ୍ୟ କରୁଥିଲେ। ଏମିତିରେ ଅବିବାହିତ ବଡ ଭଉଣୀ ମଧ୍ୟ ଭାଇ ଉପରେ ନିର୍ଭରଶୀଳ ଥିଲେ। ରୋହିଣୀ ସ୍ଥିତ ଏମଏସିଟି ବିଚାରପତି ସିଦ୍ଧାର୍ଥ ମାଥୁରଙ୍କ ଅଦାଲତ ମାମଲାରେ ୨୭ ଲକ୍ଷ ୧୩ ହଜାର ୯୨୯ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ ଏହି ରାଶିକୁ ତିନି ଅଲଗା ଅଲଗା ଭାଗରେ ଏବଂ ଛଅ ପ୍ରତିଶତ ବାର୍ଷିକ ସୁଧ ସହିତ ପରିବାରର ତିନି ସଦସ୍ୟ ବାପା-ମାଆ ଏବଂ ଭଉଣୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବାହାନର ବୀମା କରିଥିବା କମ୍ପାନୀ ଭଉଣୀର କ୍ଷତିପୂରଣ ଦେବାକୁ ବିରୋଧ କରିଛନ୍ତି। ବୀମା କମ୍ପାନୀ କହିଥିଲା ବଡ ଭଉଣୀ କେମିତି ଛୋଟ ଭାଇ ଉପରେ ନିର୍ଭରଶୀଳ ହୋଇ ପାରିବ। ଏହା ଉପରେ ଅଦାଲତ ଯୁଗ୍ମ ପରିବାରର ପ୍ରଥାର ଉଦାହରଣ ଦେଇ କହିଛନ୍ତି, ଘରର ଝିଅ ଉପରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଦାୟିତ୍ଵ ରହିଛି। ସାମାଜିକ ରୀତି ନୀତି ଅନୁସାରେ ବାପା ଏବଂ ଭାଇ ପାଇଁ ଅବିଭାହିତ ଝିଅର ବିବାହ ଏବଂ ଅନ୍ୟ ଖର୍ଚ୍ଚ ଉଠାଇବା ସାଧାରଣ କଥା।

ମୃତକ ପେଶାରେ ଥିଲେ ଡ୍ରାଇଭର

ମାଆଙ୍କ ଅନୁସାରେ, ତାଙ୍କ ୨୨ ବର୍ଷୀୟ ପୁଅ ଡ୍ରାଇଭର ଥିଲା। ସେ ପିତା ସହ ଘର ଖର୍ଚ୍ଚର ପୂରା ଦାୟିତ୍ଵ ଉଠାଉଥିଲା। ତାର ମାସିକ ଆୟ ୧୯ ହଜାର ଟଙ୍କା ଥିଲା। ସେ ନିଜ ଭଉଣୀର ବିବାହ ପାଇଁ ପ୍ରସ୍ତୁତି କରୁଥିଲା। ଏଥିପାଇଁ ବାପ ଏବଂ ପୁଅ ଅଧିକରୁ ଅଧିକ ଟଙ୍କା ଯୋଗାଡ କରିବାକୁ ଚାହୁଁଥିଲେ। ହେଲେ ସଡକ ଦୁର୍ଘଟଣାରେ ତାଙ୍କ ପୁଅର ମୃତ୍ୟୁ ଘଟିଛି। ଏଥିରେ ପୂରା ପରିବାର ଭାଙ୍ଗି ପଡିଛି।

ଏହି ଘଟଣା ୨୦୧୮ ଜୁଲାଇ ୨୭ରେ ଘଟିଛି। ମୃତକ ରାହୁଲ ନିଜ ସାଙ୍ଗ ବାଦାମ ସିଂହଙ୍କ ସହିତ ବାଇକରେ ସକାଳ ୫ଟା ୩୦ରେ ଜିମ୍ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ବାଇକକୁ ଧକ୍କା ଦେଇଥିଲା। ରାହୁଲଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.