ରାଜଧାନୀରେ ହଠାତ ପାଗରେ ହେଲା ବଡ଼ ପରିବର୍ତ୍ତନ, ପାଣିପାଗ ବିଭାଗ ସତର୍କ କରାଇ କହିଲା…

ନୂଆଦିଲ୍ଲୀ,୨୨ା୧: ରାଜଧାନୀ ଦିଲ୍ଲୀରେ ହଠାତ୍ ପାଗ ପରିବର୍ତ୍ତନ ହୋଇଯିବାରୁ ସମସ୍ତେ ଅସୁବିଧାରେ ପଡ଼ିଛନ୍ତି । ହଠାତ୍ ଦିଲ୍ଲୀରେ ଗରମ ହେବା ଆରମ୍ଭ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ବୁଧବାର  ଦିଲ୍ଲୀରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରୀ ସେଲସିୟସ ଥିଲା, ଯାହା ଏହି ଋତୁର ସାଧାରଣ ତାପମାତ୍ରାଠାରୁ ୧.୮ ଡିଗ୍ରୀ ଅଧିକ ଥିଲା। ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।

ଉତ୍ତର ଭାରତରେ ତାପମାତ୍ରା ଏବଂ ବର୍ଷା ପୂର୍ବାନୁମାନ
ଆଇଏମଡି ବୈଜ୍ଞାନିକ ଡକ୍ଟର ସୋମା ସେନ ରଏ କହିଛନ୍ତି ଯେ, ଉତ୍ତର ଭାରତର ତାପମାତ୍ରା ୧-୨ ଡିଗ୍ରୀ ସେଲସିୟସ ବଢ଼ିପାରେ। ତେବେ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ। ଜାନୁଆରୀ ୨୪ଠାରୁ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇପାରେ। ଏହା ବ୍ୟତୀତ ପଞ୍ଜାବ, ହରିୟାଣା, ପଶ୍ଚିମ ୟୁପି, ଦିଲ୍ଲୀ-ଏନସିଆର ଏବଂ ଉତ୍ତର ରାଜସ୍ଥାନରେ ଜାନୁଆରୀ ୨୩ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟ ରାଜ୍ୟରେ କୁହୁଡି
ୟୁପି, ବିହାର, ଝାଡ଼ଖଣ୍ଡ, ବଙ୍ଗଳା ଏବଂ ଓଡିଶାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏହି ରାଜ୍ୟଗୁଡିକରେ କମ୍ ଦୃଶ୍ୟମାନତା ହେତୁ ସାଧାରଣ ଜୀବନ ପ୍ରଭାବିତ ହୋଇପାରେ।

ଦିଲ୍ଲୀର ବାୟୁ ଗୁଣବତ୍ତା
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସକାଳ ୯ଟାରେ ୨୬୨ ରେକର୍ଡ କରାଯାଇଛି, ଯାହା ଖରାପ ବର୍ଗରେ ଅଛି। ଶୂନରୁ ୫୦  ମଧ୍ୟରେ AQI “ଭଲ” ବୋଲି ବିବେଚନା କରାଯାଏ ଏବଂ ୫୧ରୁ ୧୦୦ ମଧ୍ୟରେ AQI ସନ୍ତୋଷଜନକ, ୧୦୧ ଏବଂ ୨୦୦ ମଧ୍ୟମ, ୨୦୧ ଏବଂ ୩୦୦ ଖରାପ, ୩୦୧ ଏବଂ ୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୧ ଏବଂ ୫୦୦ ଗୁରୁତର ବୋଲି ବିବେଚନା କରାଯାଏ।

ଦିଲ୍ଲୀର ସର୍ବାଧିକ ତାପମାତ୍ରା ଏବଂ ଐତିହାସିକ  ରେକର୍ଡ
ବୁଧବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ ୨୪ ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି। ଜାନୁଆରୀ ୧୯ରେ ରେକର୍ଡ ହୋଇଥିବା ସର୍ବାଧିକ ତାପମାତ୍ରା ୨୬.୧ ଡିଗ୍ରୀ ସେଲସିୟସ୍ ଥିଲା, ଯାହାକି ଜାନୁଆରୀର ସବୁଠାରୁ ଗରମ ଦିନ ଥିଲା। ଗତ ଥର ୨୧ ଜାନୁଆରୀ ୨୦୧୯ରେ ସର୍ବାଧିକ ତାପମାତ୍ରା ୨୮.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।