fbpx

୯ଜିଲ୍ଲାରେ ପ୍ରବଳ ବର୍ଷିବ, ପଛକୁ ଫେରୁଛି ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତିକ୍ରମ କରି ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ପର୍ଯ୍ୟନ୍ତ ପହଁଚିଥିଲା । ହେଲେ ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେତୁ ସେଠାରେ ଶୁଷ୍କ ଉତ୍ତରା ବାୟୁର ପ୍ରଭାବ ରହିଛି । ଏହି ବାୟୁକୁ ଭେଦ କରି ଲଘୁଚାପ ଆଗକୁ ବଢିନପାରି ପୂର୍ବ ଦିଗକୁ ଗତି କରୁଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି ।

ସୂଚନା ଅନୁସାରେ, ଏହି ଲଘୁଚାପ ପଶ୍ଚିମବଙ୍ଗ ଅତିକ୍ରମ କରିବାପରେ ରାଜ୍ୟରେ ବର୍ଷା କମିବା ସହ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ ବୋଲି ଜଣାପଡିଛି । ତେବେ ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୯ଟି ଜିଲ୍ଲାକୁ ୱାର୍ଣ୍ଣିଂ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପଣିପାଗ କେନ୍ଦ୍ର ସୂଚନା ଦେଇଛି ।

ମୌସୁମୀ ଅତ୍ୟଧିକ ସକ୍ରିୟ ହେତୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬.୮ ମିମି ବର୍ଷା ହୋଇଛି ବୋଲି ପାଣି ବିଭାଗ କହିଛି । ଏହା ସ୍ୱାଭାବିକ ବର୍ଷା ୪.୬ ମିମି ତୁଳନାରେ ୪୭୭ ପ୍ରତିଶତ ଅଧିକ ରହିଛି । ଅକ୍ଟୋବର ମାସରେ ପ୍ରଥମ ୩ ଦିନରେ ୫୩.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ତୁଳନାରେ ୨୩୮ ପ୍ରତିଶତ ଅଧିକ ରହିଛି ।

Get real time updates directly on you device, subscribe now.