ଆଜିଠାରୁ ରେଳ ଯ।ତ୍ରୀଙ୍କ ପାଇଁ ବଦଳିଲା ନିୟମ, ଟିକେଟ୍ ବୁକିଂରେ ଦେଖାଦେଇପାରେ ସମସ୍ୟା

ଏବେ ହିଁ କରନ୍ତୁ ଅପଡେଟ୍।

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତାହାଲେ ଏହି ଖବର ଜାଣିରଖନ୍ତୁ। ୧୫ ଜୁଲାଇ ଅର୍ଥାତ୍ ଆଜିଠାରୁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ କିଛି ପରିବର୍ତ୍ତନ କରିଛି।

ତତକାଳ ଟିକେଟ୍ ବୁକିଂକୁ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା ପାଇଁ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି।  ଆଜିଠାରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆଧାର ଆଧାରିତ OTP ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି।

ନିୟମ କଡାକଡ଼ି: ଏହି ନିୟମ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ଟିକେଟ୍ ବୁକର୍ସଙ୍କ ପାଇଁ ଲାଗୁ ହେବ। ଅର୍ଥାତ୍ IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ତତ୍କାଳ ଟିକେଟ ବୁକିଂ କରିବା ସମୟରେ, ଏବେ ଯାତ୍ରୀଙ୍କୁ ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରରେ ପଠାଯାଇଥିବା OTP ଦେବାକୁ ପଡ଼ିବ।

ଏହି ନିୟମ ସମସ୍ତ AC ଏବଂ Non-AC ବର୍ଗର ତତ୍କାଳ ବୁକିଂ ପାଇଁ ପ୍ରଯୁଜ୍ୟ। ଖବର ଅନୁଯାୟୀ, ଏସି କ୍ଲାସ (1A, 2A, 3A, CC, EC) ପାଇଁ ତତକାଳ ଟିକେଟ୍ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସକାଳ ୧୦:୦୦ ଟାରୁ ବୁକ୍ କରାଯାଇପାରିବ।

ଯେତେବେଳେ ନନ୍-ଏସି କ୍ଲାସ (ସ୍ଲିପର, ଦ୍ୱିତୀୟ ଶ୍ରେଣୀ) ପାଇଁ ତତକାଳ ଟିକେଟ୍ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସକାଳ ୧୧:୦୦ ଟାରୁ ବୁକ୍ କରାଯାଇପାରିବ।

ଆଧାର OTP ଜରୁରୀ: ମଙ୍ଗଳବାରଠାରୁ ଲାଗୁ ହୋଇଥିବା ନୂଆ ନିୟମ ପରେ, ଏବେ ଯଦି କୌଣସି ଯାତ୍ରୀ କମ୍ପ୍ୟୁଟରାଇଜଡ୍ PRS କାଉଣ୍ଟର କିମ୍ବା ଅଧିକୃତ ଏଜେଣ୍ଟଙ୍କ ମାଧ୍ୟମରେ ତତ୍କାଳ ଟିକେଟ୍ ବୁକ୍ କରନ୍ତି, ତେବେ ଆଧାର OTP ଯାଞ୍ଚ ଆବଶ୍ୟକ ହେବ।

ଯାତ୍ରୀଙ୍କୁ ତାଙ୍କର ଆଧାର ନମ୍ବର ଏବଂ ପଞ୍ଜିକୃତ ମୋବାଇଲ୍ ନମ୍ବର ଦେବାକୁ ପଡିବ। OTP ଯାଞ୍ଚ ପରେ ହିଁ ଟିକେଟ୍ ଜାରି କରାଯିବ। IRCTC ରେ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କର ପ୍ରୋଫାଇଲ୍ ଆଧାର ସହିତ ପ୍ରମାଣିତ ହେବା ଆବଶ୍ୟକ। ଯଦି ଏହା କରାଯାଏ ନାହିଁ ତେବେ ଆପଣ ଟିକେଟ୍ ବୁକ୍ କରିପାରିବେ ନାହିଁ।

ଏହିପରି ଆଧାର ସହିତ ଲିଙ୍କ୍ କରିପାରିବେ: 

IRCTC ୱେବସାଇଟ୍ କିମ୍ବା IRCTC ରେଲ୍ କନେକ୍ଟ ଆପ୍‌ରେ ଲଗ୍ ଇନ୍ କରନ୍ତୁ।

ଏଠାରେ my accountରେ କ୍ଲିକ୍ କରନ୍ତୁ।

ତା’ପରେ Authenticate User ଉପରେ କ୍ଲିକ୍ କରନ୍ତୁ ଏବଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।

 ବୁକିଂ ସମୟ ପରିବର୍ତ୍ତନ: IRCTC ୧ ଜୁଲାଇ, ୨୦୨୫ ଠାରୁ ଅଧିକୃତ ଏଜେଣ୍ଟଙ୍କ ପାଇଁ ବୁକିଂ ସମୟ ପରିବର୍ତ୍ତନ କରିଛି। ଅଧିକୃତ ଏଜେଣ୍ଟମାନେ ଆଉ ସକାଳ ୧୦:୦୦ ରୁ ସକାଳ ୧୦:୩୦ ପର୍ଯ୍ୟନ୍ତ ଏସି କ୍ଲାସ ଟିକେଟ ବୁକ୍ କରିପାରିବେ ନାହିଁ।

ସେହିପରି ନନ୍-ଏସି କ୍ଲାସ ବୁକିଂ ସକାଳ ୧୧:୦୦ ରୁ ସକାଳ ୧୧:୩୦ ପର୍ଯ୍ୟନ୍ତ ସମ୍ଭବ ହେବ ନାହିଁ।

ଏହି ମାସରୁ ରେଳ ଭଡା ବୃଦ୍ଧି: ଭାରତୀୟ ରେଳବାଇ ୧ ଜୁଲାଇରୁ ରାଜଧାନୀ, ଶତାବ୍ଦୀ, ବନ୍ଦେ ଭାରତ, ତେଜସ, ହମସଫର, ଦୂରନ୍ତୋ, ମହାମନା, ଗତିମାନ, ଜନ ଶତାବ୍ଦୀ, ଯୁବ ଏକ୍ସପ୍ରେସ୍, ଏସି ଭିଷ୍ଟାଡୋମ୍, ଅନୁଭୂତି ଭଳି ପ୍ରିମିୟମ୍ ଏବଂ ସ୍ୱତନ୍ତ୍ର ଟ୍ରେନର ଭଡା ବୃଦ୍ଧି କରିଛି।