fbpx

ବାରମ୍ବାର ହାରିବା ପରେ ଟିମ୍ ଇଣ୍ଡିଆରେ ପଡ଼ିଲା ଭାଳେଣି, ମିଡିଲ୍ ଅର୍ଡର ସମ୍ଭାଳିବାକୁ ଫେରିପାରନ୍ତି ଏଇ ଦୁଇ ପୁରୁଣା ଖେଳାଳି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଛି । ପୂର୍ବରୁ ଟେଷ୍ଟ ସିରିଜ ପରାସ୍ତ ହେବା ପରେ ଦିନିକିଆରେ ଦଳ ଭଲ ପ୍ରଦର୍ଶନ କରିବ ବୋଳି କ୍ରୀଡ଼ାପ୍ରେମୀମାନେ ଆଶା ରଖିଥିଲେ । ମାତ୍ର ପ୍ରଥମ ଦୁଇଟି ଦିନିକିଆରେ ଭାରତ ହାରିବା ସହ ଦକ୍ଷିଣ ଆଫ୍ରିକା ସିରିଜକୁ ୨-୦ରେ କବଜା କରିନେଇଛି । ଏପରି ସ୍ଥିତିରେ ଅଧିନାୟକ କେଏଲ ରାହୁଲଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ପ୍ଲେଇଂ-୧୧ ଚୟନରେ କିଛି ତ୍ରୁଟି ରହିଥିବା ନେଇ କିଛି ପୂର୍ବତନ କ୍ରିକେଟର ମତ ଦେଇଛନ୍ତି ।

ତେବେ ପ୍ରଥମ ଦିନିକିଆରେ ଶିଖର ଧାୱନ, ବିରାଟ କୋହଲି ଓ ଶାର୍ଦୁଲ ଠାକୁର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ କେଏଲ ରାହୁଲ ଓ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ । ଦଳର ମିଡିଲ ଅର୍ଡରର ଦୁର୍ବଳତା ଏବେ ପଦାରେ ପଡ଼ିଯାଇଛି । ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ଦୁହେଁ ଦୁଇଟି ମ୍ୟାଚରେ ବିଫଳ ହୋଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଦଳ ପୁରୁଣା ଖେଳାଳିଙ୍କ ଅଭାବ ଅନୁଭବ କରୁଥିବା ମତ ଦେଇଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ଦିନେଶ କାର୍ତ୍ତିକ । ଦିନେଶଙ୍କ ମତରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ମଧ୍ୟମ କ୍ରମ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଦୁଇ ଜଣ ଅଲରାଉଣ୍ଡରଙ୍କୁ ବାହାରେ ରଖିବା ଦଳକୁ ବହୁତ ମୂଲ୍ୟ ଦେବାକୁ ପଡ଼ିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.