ପର୍ଯ୍ୟଟକଙ୍କ ପାଇଁ ଜରୁରୀ ଖବର: ଦେଶର ପାଞ୍ଚଟି ସ୍ଥାନରେ ତାପମାତ୍ରା ମାଇନସ୍ ଡିଗ୍ରୀ, ପିକନିକ୍ ଯିବା ପୂର୍ବରୁ ଶହେ ଥର ଭାବନ୍ତୁ
ଦେଶରେ ବର୍ତ୍ତମାନ ଥଣ୍ଡାର ରାଜୁତି ଚାଲିଥିବା ବେଳେ ଲୋକମାନେ ଏବେ ଶୀତବସ୍ତ୍ର ଉପରେ ଭରସା କରି ରହୁଛନ୍ତି । ଏଥିସହିତ ଆସନ୍ତା ମାସ ପହିଲାରୁ ଶୀତ ପୁଣି ବଢ଼ିବ ବୋଲି କୁହାଯାଇଛି । ତେବେ ଶୀତଦିନେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ବୁଲିବାର ମଜା ବେଶ୍ ନିଆରା । ଭାରତବର୍ଷର ଅନେକ ସ୍ଥାନରେ ଶୀତଋତୁର ଆଗମନରେ ସୌନ୍ଦର୍ଯ୍ୟମୟ ହୋଇ ଉଠିଥାଏ । ଉକ୍ତ ପାହାଡ଼ ପର୍ବତ ଘେରା ଅଞ୍ଚଳମାନଙ୍କରେ ଭୟଙ୍କର ଥଣ୍ଡା ପବନ ସାଙ୍ଗକୁ ତାପମାତ୍ରାରେ ହ୍ରାସ ଘଟି ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ତେଣୁ ଏପରି ସ୍ଥିତିରେ କୌଣସି ସ୍ଥାନକୁ ପିକନିକରେ ଯିବା ପୂର୍ବରୁ ଭାରତର କେଉଁ କେଉଁ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହୁଏ ତାହା ଜାଣିବା ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ।
୧- କାରଗିଲ: ୧୯୯୯ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ହୋଇଥିଲା । କାରଗିଲ କେବଳ ଯୁଦ୍ଧ ପାଇଁ ନୁହେଁ, ପ୍ରବଳ ଥଣ୍ଡା ଅଞ୍ଚଳ ଭାବେ ମଧ୍ୟ ଜଣାଶୁଣା । ଶ୍ରୀନଗର-ଲେହ ରାଜପଥରେ ୩୩୨୫ ମିଟର ଉଚ୍ଚରେ ଅବସ୍ଥିତ କାରଗିଲ ଭାରତ-ପାକ ସୀମାରେ ଅବସ୍ଥିତ । ଶୀତର ଆଗମନରେ ଏଠାରେ ତାପମାତ୍ରା -୨୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ।
୨- ଲଦାଖ: ହିମାଳୟ ପର୍ବତମାଳା ମଧ୍ୟରେ ରହିଥିବା ଲଦାଖକୁ କେନ୍ଦ୍ର ସରକାର ୨୦୧୯ରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରିଥିଲେ । ଜାନୁଆରୀ ଏଠାରେ ହାରାହାରି ତାପମାତ୍ରା -୧୨ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା -୨ ଡିଗ୍ରୀକୁ ଖସିଯାଇଥାଏ । ତେଣୁ ଏହି ସ୍ଥାନକୁ କେବଳ ଗ୍ରୀଷ୍ମଋତୁରେ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
୩- ଲାଚେନ ଓ ଥାଙ୍ଗୁ ଘାଟି: ସିକିମର ଉତ୍ତର ଭାଗରେ ଅବସ୍ଥିତ ଲାଚେନ ଓ ଥାଙ୍ଗୁ ଘାଟି ଏକ ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା । ପ୍ରାୟ ୨୫୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ସ୍ଥାନରେ ଜାନୁଆରୀ ମାସରେ ତାପମାତ୍ରା -୧୦ରୁ -୧୫ ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଇଥାଏ ।
୪- ତୱାଙ୍ଗ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ମଧ୍ୟଭାରତର ସବୁଠାରୁ ଥଣ୍ଡା ସ୍ଥାନ । ଏହି ସ୍ଥାନକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଶୀତ ଋତୁରେ ଏଠାରେ ତାପମାତ୍ରା -୧୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ ।
୫- ସିଆଚେନ ଗ୍ଲାସିଅର: ଦେଶର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ସିଆଚେନ ଗ୍ଲାସିଅରକୁ ଗଣାଯାଏ । ୫୭୫୩ ମିଟର ଉଚ୍ଚରେ ଥିବା ଏହି ସ୍ଥାନରେ ଜାନୁଆରୀରେ ତାପମାତ୍ରା -୫୦ ଡିଗ୍ରୀରେ ପହଞ୍ôଚ ଯାଇଥାଏ । ଅତ୍ୟଧିକ ଥଣ୍ଡାକୁ ସହ୍ୟ କରି ଭାରତ ଓ ପାକିସ୍ତାନର ବହୁ ଯବାନ ଏହି ସ୍ଥାନରେ ରହିଛନ୍ତି । ପ୍ରତିକୂଳ ପରିବେଶ ହେତୁ ଏଠାରେ ହଜାର ହଜାର ଯବାନଙ୍କର ମୃତ୍ୟୁ ଘଟିଥାଏ ।