fbpx

ଚୋରି କରି କ୍ଷମା ମାଗିଲା ଚୋର: ପରେ ଜିନିଷ ଫେରାଇଲା ଓ ଲେଖିଲା ‘Sorry, ଏହା କରୋନା ଟିକା ବୋଲି ମୁଁ ଜାଣି ନଥିଲି’

ନୂଆଦିଲ୍ଲୀ, ୨୩ା୪: ଦେଶରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି । ଏହି ପରିପ୍ରେକ୍ଷୀରେ ହରିୟାଣାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । କରୋନା ଭ୍ୟାକ୍ସିନକୁ ଜଣେ ଚୋର ଚୋରି କରିନେବା ପରେ କ୍ଷମା ପ୍ରାର୍ଥନା କରିଛି। ଚୋରଟି କୋଭିସିଲ୍ଡର ୧୮୨ ଡୋଜ୍ ଓ କୋଭାକ୍ସିନର ୪୪୦ ଡୋଜ୍ ଲୁଟ୍ କରିନେଇଥିଲା । ତେବେ ଚୋରଟି ପରେ ଚୋରି ଭ୍ୟାକ୍ସିନକୁ ଏକ ଚା’ ଦୋକାନରେ ଛାଡ଼ିଯିବା ସହ ଏକ ନୋଟ୍ ଲେଖିଥିବା ଜଣାପଡ଼ିଛି । ନୋଟରେ ଲେଖାଥିଲା- ‘Sorry, ଏହା କରୋନା ଟିକା ବୋଲି ମୁଁ ଜାଣି ନଥିଲି’ ।

ହରିୟାଣାର ଜିନ୍ଦ ଜିଲ୍ଲାର ସିବିଲ ଲାଇନ ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଏକ ହସ୍ପିଟାଲରୁ ରାତିରେ ୧୭୧୦ ଡୋଜ୍ କୋଭିଡ୍ ଟିକା ଚୋରି ହୋଇଥିବାର ଖବର ମିଳିଥିଲା । ମାତ୍ର ପରଦିନ ୧୨ଟା ସମୟରେ ଏକ ଚା’ ଦୋକାନରୁ ପୋଲିସ ଉକ୍ତ ଭ୍ୟାକ୍ସିନକୁ ଉଦ୍ଧାର କରିଥିଲା । ଚୋରଟି ଜଣେ ବୃଦ୍ଧଙ୍କୁ ଏକ ବ୍ୟାଗ୍ ଫେରାଇଥିଲା ଓ କହିଥିଲା ଯେ, ସେହି ବ୍ୟାଗରେ ଥାନା ଅଧିକାରୀଙ୍କ ପାଇଁ ଖାଦ୍ୟ ରଖାଯାଇଛି । ଏହାପରେ ଚୋରଟି ସେ ସ୍ଥାନରୁ ଫେରାର ହୋଇଯାଇଥିଲା । ଏହାପରେ ଚା’ ଦୋକାନୀ ବ୍ୟାଗଟି ପୋଲିସକୁ ଫେରାଇ ଥିଲା । ବ୍ୟାଗ ଖୋଲିବା ପରେ ସେଥିରେ କରୋନା ଡୋଜ୍ ସହିତ ଏକ ନୋଟ୍ ମିଳିଥିଲା । ପୋଲିସ ଏନେଇ ଚୋରକୁ ଧରିବାକୁ ପାଇଁ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.