ନୂଆଦିଲ୍ଲୀ, ୯ା୫: ହରିୟାଣାର ଏକ ଜେଲରୁ ୧୩ ଜଣ କଏଦୀ ଫେରାର ହୋଇଯାଇଛନ୍ତି । ତେବେ ଫେରାର ହୋଇଥିବା ସମସ୍ତ କଏଦୀ କରୋନାରେ ସଂକ୍ରମିତ ଥିଲେ । ତେଣୁ ସେମାନଙ୍କୁ ରେୱାଡ଼ି ଜିଲ୍ଲା ଜେଲରେ ରଖାଯାଇଥିଲା । କଏଦୀମାନେ ଜେଲର ରେଲିଂ କାଟି ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ରେୱାଡ଼ି ଜେଲରେ କରୋନା ସଂକ୍ରମିତ କଏଦୀମାନେ ରହିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତେବେ ଆକ୍ରାନ୍ତ କଏଦୀମାନେ ଫେରାର ହେବା ନେଇ ଜିଲ୍ଲାରେ ତୋଫାନ୍ ସୃଷ୍ଟି ହୋଇଛି । ପୋଲିସ କହିବାନୁଯାୟୀ, କଏଦୀମାନେ ହତ୍ୟା, ଦୁଷ୍କର୍ମ, ଅପହରଣ ପରି ଗମ୍ଭୀର ଅପରାଧର ଦଣ୍ଡ ଭୋଗୁଥିଲେ । ପୋଲିସ ପକ୍ଷରୁ ଆଖପାଖ ଗାଁମାନଙ୍କରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି ।