ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟିଭିରେ ଜଙ୍କ୍ ଫୁଡର ବିଜ୍ଞାପନ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ଏହି ଦେଶର ସରକାର
ଲଣ୍ଡନ: ପିଲାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବ୍ରିଟେନ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସକାଳ ୫.୩୦ ରୁ ରାତି ୯.୦୦ ପର୍ଯ୍ୟନ୍ତ ଟିଭିରେ ଜଙ୍କ୍ ଫୁଡର ବିଜ୍ଞାପନ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସେ ନିଷ୍ପତି ନେଇଛନ୍ତି । ଜଙ୍କ ଫୁଡ୍ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଥିବାରୁ ବ୍ରିଟେନ ସରକାର ଏପରି ଏକ ନିଷ୍ପତି ନେଇଛନ୍ତି ଏବଂ ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଲାଗୁ କରିଛନ୍ତି । ତେବେ ବିଜ୍ଞାପନ ସହିତ ଜଡିତ ଏହି ନିୟମଗୁଡିକ ୨୦୨୨ରୁ ପ୍ରଯୁଜ୍ୟ ହେବ । କ୍ଷତିକାରକ ଖାଦ୍ୟରେ ପିଲାମାନଙ୍କର ଏକ୍ସପୋଜରକୁ କମ୍ କରିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ।
ଟିଭି ବ୍ୟତୀତ ଅନଲାଇନ୍ ମାଧ୍ୟମରେ ମଧ୍ୟ ଏହି ପ୍ରତିବନ୍ଧକ ଲାଗୁ ହେବ । ତେବେ ଏହି ନିଷ୍ପତି ଅଧୀନରେ, ଏହିପରି ଖାଦ୍ୟ ସାମଗ୍ରୀର ବିଜ୍ଞାପନର ଟେଲିକାଷ୍ଟ ସକାଳ ୫.୩୦ରୁ ରାତି ୯.୦୦ ମଧ୍ୟରେ ନିଷେଧ ହେବ । ଯେଉଁଥିରେ ଚର୍ବି, ଲୁଣ ଏବଂ ଚିନି ଅଧିକ ରହିଛି । ଏହାସହ ବ୍ରିଟେନରେ ଡିମାଣ୍ଡ-ଆଧାରିତ ପ୍ରୋଗ୍ରାମ ପାଇଁ ନୂଆ ନିୟମ ଲାଗୁ ହେବ ।
ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗର ଜୋ ଚର୍ଚ୍ଚିଲ କହିଛନ୍ତି ଯେ ଆମେ ଶିଶୁମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏବଂ ମେଦବହୁଳତାର ମୁକାବିଲା ପାଇଁ ପ୍ରତିବଦ୍ଧ । ଯୁବକମାନେ ଦେଖୁଥିବା ବିଷୟବସ୍ତୁ ସେମାନଙ୍କ ପସନ୍ଦ ଏବଂ ଅଭ୍ୟାସ ଉପରେ ପ୍ରଭାବ ପକାଇଥାଏ । ପିଲାମାନେ ଅନଲାଇନରେ ଅଧିକ ସମୟ ବିତାଉଛନ୍ତି, ତେଣୁ ସେମାନଙ୍କୁ କ୍ଷତିକାରକ ବିଜ୍ଞାପନରୁ ଦୂରେଇ ରଖିବା ପାଇଁ ଆମେ ଏହି ପଦକ୍ଷେପ ନେଇଛୁ ।