ବର୍ଷା ଦିନେ ପିଅନ୍ତୁ ଏହି କାଢ଼ା, ଥଣ୍ଡା, ଜ୍ୱର ଓ କାଶ ହୋଇଯିବ ଛୁ ମନ୍ତର
ଏହି କାଢା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
ନୂଆଦିଲ୍ଲୀ: ଏବେ ଚାଲିଛି ବର୍ଷା ଋତୁ। ଆଉ ଏହି ଋତୁରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ। ଯେତେବେଳେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୁଏ ସେତେବେଳେ ଋତୁକାଳୀନ ରୋଗର ଆଶଙ୍କା ବଢ଼ିଯାଏ। ଯେପରିକି ଥଣ୍ଡା, ଜ୍ୱର, କାଶ ପ୍ରଭୃତି ଲାଗି ରହେ।
ଏପରି ପରିସ୍ଥିତିରେ ଭାଇରାଲ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆପଣ ଘରୋଇ ଉପଚାରକୁ ଆପଣାଇ ପାରିବେ। ଏବଂ ନିଜ ଖାଦ୍ୟରେ କାଢାକୁ ସାମିଲ କରିପାରିବେ।
ଏହି କଢା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ ଏବଂ ଶରୀରକୁ ବାହାର ଜୀବାଣୁ ସହିତ ଲଢ଼ିବାରେ ସାହାଯ୍ୟ କରେ। ଆୟୁର୍ବେଦରେ ମଧ୍ୟ ମସଲା ଏବଂ ଔଷଧିରୁ ତିଆରି ଏପରି କାଢାର ବହୁତ ଗୁରୁତ୍ୱ ଅଛି। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବେ ଏବଂ ଏହାର ଲାଭ?
କିପରି ପ୍ରସ୍ତୁତ କରିବେ କାଢା: ଏହି କାଢା ତିଆରି କରିବା ପାଇଁ ଟିକିଏ ଅଦା, ଅଳ୍ପ ଗୁଡ଼, କିଛି କଳା ଗୋଲମରିଚ, ଗୋଟିଏ କିମ୍ବା ଦୁଇ ଚିମୁଟା ଜୁଆଣୀ, ୩-୪ଟି ଛୋଟ ଡାଲଚିନି କାଠି, ୧-୨ଟି ଷ୍ଟାର ଆନିସ୍, ୫-୬ଟି ଲବଙ୍ଗ, ୧-୨ଟି ବଡ଼ ଗୁଜୁରାତି, ୧ ଚାମଚ ଘରେ ତିଆରି ଚା ମସଲା ନିଅନ୍ତୁ।
ଏବେ ଏକ ପାତ୍ରରେ ୨ ଗ୍ଲାସ ପାଣି ନେଇ ଗରମ କରିବାକୁ ଗ୍ୟାସରେ ରଖନ୍ତୁ। ପାଣି ଗରମ ହେବା ଆରମ୍ଭ ହେଲେ ଅଦାକୁ ଛେଚି ସେଥିରେ ଅନ୍ୟ ସମସ୍ତ ସାମଗ୍ରୀ ମିଶାନ୍ତୁ।
ଏହି ମିଶ୍ରଣକୁ ୭ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ, ଯେପର୍ଯ୍ୟନ୍ତ ପାଣିର ରଙ୍ଗ ଗାଢ଼ ନହେଇଛି। ଏବେ ଏହି ପାଣିକୁ ଏକ କପରେ ଛାଣି ଗରମ ଗରମ ପିଅନ୍ତୁ।
ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ: ଏହି କାଢାରେ କଳା ଗୋଲମରିଚ, ଜୁଆଣୀ, ଲବଙ୍ଗ, ଷ୍ଟାର ଆନିଜ୍ ଏବଂ ଗୁଜୁରାତି ଭଳି ମସଲା ଅଛି। ଯାହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି।
ଏଗୁଡ଼ିକ ଗଳା ଯନ୍ତ୍ରଣା, ଥଣ୍ଡା ଏବଂ କାଶ କମ କରିବାରେ ସାହାଯ୍ୟ କରିପାରେ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଖାଦ୍ୟରେ ଏହି ମସଲା ସାମିଲ କରିବା ଦ୍ୱାରା ସ୍ୱାସ୍ଥ୍ୟ ଅନେକ ଭାବରେ ଉନ୍ନତ ହୁଏ।
ରୋଗ ପ୍ରତିରୋଧକ ଶକ୍ତି ବଢ଼େ: ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଏବଂ ଆମ କୋଷଗୁଡ଼ିକୁ କ୍ଷତି ପହଞ୍ଚାଇବାରୁ ରକ୍ଷା କରେ। ଏହା ସହିତ ଅଦାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି। ଅଦା ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ।
ଏହି ପାଣିରେ ଗୁଡ଼ ମିଶାଇବା ଦ୍ୱାରା କେବଳ କାଢାର ସ୍ୱାଦ ବଢ଼ିଯାଏ ନାହିଁ, ଏହା ଆପଣଙ୍କ ଶ୍ୱାସକ୍ରିୟା ପ୍ରଣାଳୀକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରେ।
ଏହା ଆପଣଙ୍କ ଶରୀରକୁ ବିଷମୁକ୍ତ ମଧ୍ୟ କରେ। ଏହି କାଢା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ବହୁତ ସହାୟକ ହୋଇପାରେ।