ନୂଆଦିଲ୍ଲୀ: ଭାରତରେ ଲୋକମାନଙ୍କର ମନ୍ଦିର ପ୍ରତି ଅନେକ ବିଶ୍ୱାସ ଓ ଭରସା ରହିଛି । ଏଠାରେ କୋଟି କୋଟି ମନ୍ଦିର ରହିଛି । କିଛି ମନ୍ଦିର ନିଜର ଖାସ୍ କାରଣ ଯୋଗୁଁ ଚର୍ଚ୍ଚିତ ହୋଇଛି । ଭକ୍ତମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ଦିରରେ ପୂଜା କରନ୍ତି ଓ ଭୋଗ ଲଗାନ୍ତି । କିନ୍ତୁ ଦେଶରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ଭଗବାନଙ୍କୁ ପ୍ରସାଦ ନୁହେଁ ବରଂ ବିଡ଼ି ଚଢ଼ାଯାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଆସନ୍ତୁ ଏହି ମନ୍ଦିର ବିଷୟରେ ଜାଣିବା…
ରିପୋର୍ଟ ଅନୁସାରେ, ଏହି ମନ୍ଦିରର ନାଁ ହେଉଛଇ ମୁସହାରୱା ମନ୍ଦିର । ଏହା ବିହାର କୈମୁର ଜିଲ୍ଲା ଭଗବାନପୁର ଅଞ୍ଚଳର ୧୪୦୦ ଫୁଟ ଉଚ୍ଚତା ପାହାଡ଼ରେ ରହିଛି । ସେଠାକୁ ଉତ୍ତରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଲୋକମାନେ ସେମାନଙ୍କ ମନବା’ନା ପୂରଣ କରିବାକୁ ଦୌଡ଼ିଆସିଥାନ୍ତି । ଭକ୍ତମାନେ ନିଜର ଯାତ୍ରାକୁ ସଫଳ କରିବା ପାଇଁ ମୁସହାରୱା ବାବାଙ୍କ ପାଖରେ ବିଡ଼ି ଅର୍ପଣ କରନ୍ତି ଓ ନିଜ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି ।
ତେବେ ଏହା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଏ । ପାହାଡ଼ ଉପରେ ଚଢ଼ିବା ପୂର୍ବରୁ ବା ପରେ ବିଡ଼ି ଅର୍ପଣ କରାଯାଏ । ମାନ୍ୟତା ରହିଛି କି, ପାହାଡି ଘାଟିରେ ଚଢ଼ିବା ପୂର୍ବରୁ ଓ ଚଢ଼ିବା ପରେ ମୁସହାରୱା ବାବାଙ୍କୁ ବିଡ଼ି ଚଢ଼ାଇବା ଆବଶ୍ୟକ । ଏହା ଫଳରେ ସେମାନଙ୍କ ରାସ୍ତାରେ ଆସୁଥିବା ସମସ୍ତ ସମସ୍ୟା ଦୂରେଇ ଯିବ । ଯେଉଁମାନଙ୍କ ପାଖରେ ବିଡ଼ି ନଥାଏ, ସେମାନେ ବୁସହାରୱା ବାବାଙ୍କ ବାକ୍ସରେ ବିଡ଼ି ପାଇଁ ଟଙ୍କା ଦାନ କରି ଆଗକୁ ବଢ଼ନ୍ତି ।
ମନ୍ଦିରର ପୂଜାରି ଗୋପାଳ ବାବା କହିଛନ୍ତି ଯେ, ମୁସହାରୱ ବାବାଙ୍କ ମନ୍ଦିରରେ ସେ ଦୀର୍ଘ ୨ ୨ ବର୍ଷ ହେବ ପୂଜା କରିଆସୁଛନ୍ତି । କୌଣସି ବି ଯାତ୍ରୀ ଏହି ବାଟ ଦେଇ ଯାତ୍ରା କରନ୍ତି, ସେମାନେ ବାବା ମୁସହାରୱାଙ୍କ ନିକଟରେ ବିଡ଼ି ଅର୍ପଣ କରନ୍ତି । ଏପରି ଅନେକ ଯାତ୍ରୀ ଅଛନ୍ତି, ଯେଉଁମାନେ ଏହାକୁ ବିଶ୍ୱାସ ନକରି ଆଗକୁ ବଢ଼ିଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ପାହାଡରୁ ଖସିପଡ଼ିଲେ ତ ଆଉ କିଏ ଗୁରୁତର ଆହତ ହେଲେ । ଯଦି ପାହାଡକୁ ସହଜରେ ଅତିକ୍ରମ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ବି ଯାତ୍ରା ପାଇଁ ସତର୍କତାର ସାମଗ୍ରୀ ସହିତ ଏକ ବଣ୍ଡଲ ବିଡ଼ି ଆଣିବାକୁ ପଡ଼ିବ । ଏହା ପରେ ଯାଇ ଆପଣଙ୍କ ଯାତ୍ରା ସମ୍ପୂର୍ଣ୍ଣ ହେବ ।