ପୁରୀ: (ଓଡ଼ିଶା ଭାସ୍କର) ଆଜି ଆଡ଼ପ ପହଣ୍ଡି ବେଳେ ଯାହା ଘଟିଲା ସ୍ତବ୍ଦ ହୋଇଗଲା ସାରା ଓଡ଼ିଶା । ଘଟିଗଲା ବଡ଼ ଅଘଟଣ । ଗୋଟି ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ତାଳଧ୍ୱଜ ରଥର ଚାରମାଳ ଉପରୁ ହାମୁଡେଇ ପଡ଼ିଲେ ତଳକୁ । ସ୍ତବ୍ଦ ହୋଇଗଲେ ସେବାୟତ-ଶ୍ରଦ୍ଧାଳୁ । ଏପରିକି ପହଣ୍ଡିରେ ସାମିଲ ହୋଇଥିବା ସାତରୁ ଉର୍ଦ୍ଧ୍ୱ ସେବାୟତ ବି ଆହତ ହୋଇଗଲେ । ଏପରି ଅଘଟଣ ଦେଖି କାନ୍ଦି ଉଠିଲା କୋଟି କୋଟି ଓଡ଼ିଆଙ୍କ ପ୍ରାଣ ।
ସେପଟେ ବଡ଼ ଭାଇ ପଡ଼ିଗଲେ ବୋଲି ମନ ଦୁଖଃ କରିଛି କାଳିଆ । କେମିତିବା କରିବନି, ଭାଇ ପରା ତାର ଜୀବନ । ରାମାୟଣରେ ଲକ୍ଷ୍ମଣ ରୂପରେ ଯେତେବେଳେ ଆବତାର ନେଇଥିଲେ ଆଉ ମହାପ୍ରଭୁ ରାମ ରୂପରେ । ସେତେବେଳେ ମାତା ସୀତାଙ୍କୁ ଆଣିବା ବେଳେ ଇନ୍ଦ୍ରଜିତ ସହ ଯୁଦ୍ଧ ସମୟରେ ଶକ୍ତିଭେଦରେ ପଡ଼ିଯାଇଥିଲେ ଲକ୍ଷ୍ମଣ, ଆଉ ସେତିକି ବେଳେ ରାମଙ୍କ କାନ୍ଦ ସାରା ସଂସାର ଦେଖିଥିଲା । ପ୍ରଭୁଙ୍କ କାନ୍ଦ ଦେଖି ସହି ପାରିଲେନି ହନୁମାନ । ବିଶଲ୍ୟକରଣୀ ଆଣି ବଞ୍ଚାଇଲେ ଲକ୍ଷ୍ମଣଙ୍କ ପ୍ରାଣ ।
ଆଜି ଠିକ୍ ସେମିତି ଯେତେବେଳେ ପ୍ରଭୁ ବଳଦେବ ତାଳଧ୍ୱଜ ରଥରୁ ଆଡ଼ପ ପହଣ୍ତି ହେଉ ହେଉ ଖସି ପଡ଼ିଲେ । ସେତେବେଳେ କାଳିଆର ଛାତିରୁ ଅତଡ଼ା ଖସିବା ଭଳି ଲାଗିଲା । ହେଇ ଦେଖୁନାହାଁନ୍ତି କେମିତି ମନ ଉଣା କରିଛି କାଳିଆ । ସତରେ ଜଗାର ଏଇ ଦୁଖଃ ଭରା ଚାହାଣୀକୁ ଥଲେ ପଲକ ପକାଇଲେ ସ୍ୱତଃ ବାରି ହେଇ ଯାଉଛି, କେତେ ମନଦୁଃଖ କରିଛି କାଳିଆ । ହେଲେ କାହିଁକି ଘଟିଗଲା ଏତେ ବଡ ଅଘଟଣ । ନନ୍ଦିଘୋଷ ରଥରେ ବସି କାଳିଆ ତା’ ଚକା ଚକା ଆଖିରେ ଚାହିଁ ରହିଥିଲା ବେଳେ ଏପଟେ ତାଳଧ୍ବଜ ରଥରୁ ଓହ୍ଲାଉ ଓହ୍ଲାଉ କାହିଁକି ଖସିପଡିଲେ ବଳିଆ ?
ଆଡପ ମଣ୍ଡପକୁ ବିଜେ କରୁ କରୁ ଚାରମାଳ ଉପରେ କାହିଁକି ହାମୁଡେଇ ପଡିଲେ ପ୍ରଭୁ ବଳଭଦ୍ର ? ଏସବୁ କଥା ଭାବି ଭାବି ଭକ୍ତଙ୍କ ପ୍ରାଣ କେତେବେଳେ କାନ୍ଦି ଉଠୁଛି, ସେତେବେଳେ ସାନଭାଇ ଜଗା କାଳିଆର ପ୍ରାଣ କାନ୍ଦିବନି କେମିତି ? ହେଲେ ଜନ୍ମବେଦୀକୁ ବିଜେ କରିବା ଆଗରୁ ମହାପ୍ରଭୁ ବଳରାମଙ୍କର ଖସିପଡିବା ଆଉ ଚାରମାଳ ଉପରେ ହାମୁଡେଇ ପଡି ସେବକମାନେ ଆହତ ହେବା ଘଟଣାକୁ ଏତେ ସହଜରେ ଗ୍ରହଣ କରିପାରୁନାହିଁ ଭକ୍ତଙ୍କ ମନ । ଏଭଳି ଅଘଟଣ ଘଟିବା ପଛରେ ମହାପ୍ରଭୁଙ୍କ ଇଚ୍ଛା କ’ଣ ସେକଥା କେବଳ ତାଙ୍କୁ ହିଁ ଜଣା ।