‘ଏହି ତେଲ ଦୂର କରିବ ଚନ୍ଦାପଣ…’ଏମିତି କିଛି କହି ଲୋକଙ୍କୁ ଠକୁଥିଲେ, ୩ ଗିରଫ

ମେରଠ: ଆଜିକାଲି ଅଧିକାଂଶ ବ୍ୟକ୍ତି ସେମାନଙ୍କ ଚନ୍ଦାପଣକୁ ନେଇ ଚିନ୍ତାରେ ଥାନ୍ତି । ଏହା ସେମାନଙ୍କ ବ୍ୟକ୍ତିିତ୍ୱ ଉପରେ ପ୍ରଭାବ ପକାଇଥାଏ । ଚନ୍ଦାପଣରୁ ପୀଡ଼ିତ ବ୍ୟକ୍ତି ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଔଷଧ ବ୍ୟବହାର କରିଥାନ୍ତି । ବେଳେ ବେଳେ ଏଭଳି ସ୍ଥିତିର ଫାଇଦା ଉଠାଉଛନ୍ତି କିଛି ଲାଭଖୋର ବ୍ୟବସାୟୀ । ଚନ୍ଦାପଣ ଦୂର କରିବା ପାଇଁ ତେଲ ବିକ୍ରି କରିବା ନାଁରେ ସେମାନେ ନୀରିହ ଗ୍ରାହକଙ୍କ ଫାଇଦା ଉଠାଇଥାନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି ମେରଠରୁ ।

ସୂଚନାରୁ ପ୍ରକାଶ ମେରଠର ଲିସାଡ଼ି ଗେଟ୍ ଥାନା ଅନ୍ତର୍ଗତ ପ୍ରହଲାଦ ନଗରରେ କିଛି ବ୍ୟବସାୟୀ ଅସାଧୁ ଉପାୟରେ ଲୋକଙ୍କ ଚନ୍ଦାପଣ ଦୂର କରିବା ନାଁରେ ଏକ ପ୍ରକାର ତେଲ ବିକ୍ରି କରୁଥିଲେ । ଗ୍ରାହକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଫିସ୍ ବାବଦକୁ ୨୦ ଟଙ୍କା ଏବଂ ତେଲ ଶିଶି ପିଛା ୩୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିବା ଜଣାପଡ଼ିଛି । ଏନେଇ ଶାଦାବ ରାଓ ନାମକ ଜଣେ ବ୍ୟକ୍ତି ରବିବାର ଏହି ଠକାମୀ ନାଁରେ ପୋଲସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲସ ଏହି ଠକାମୀରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଲେ ସଲମାନ, ଇମରାନ୍ ଏବଂ ସମୀର । ଏମାନେ ଦିଲ୍ଲୀ ଏବଂ ବିଜନୌରରେ ରୁହନ୍ତି । ଏହି ଅଭିଯୁକ୍ତମାନେ ବିଜନୌର, ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ଲୋକଙ୍କୁ ଠକି ମୋଟା ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି । କିନ୍ତୁ ଗିରଫର କିଛି ସମୟ ପରେ ସେମାନେ ଜାମିନରେ ମୁକୁଳି ଯାଇଥିଲେ । ଶୀଘ୍ର ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯିବ ଏବଂ ଯାଞ୍ଚ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।