IND vs ENG ପ୍ରଥମ ଟେଷ୍ଟରେ ଡେବ୍ୟୁ କରିବେ ଏହି ଖେଳାଳି: ଅଧିନାୟକ ବାଛିଲେ Playing-11

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟେଷ୍ଟ ସିରିଜ । ତେବେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପାଇଁ ଦଳ ଗୋଷଣା ହୋଇଯାଇଛି । ଏହି ମ୍ୟାଚ ପାଇଁ ଦଳରେ ୩ ଜଣ ସ୍ପିନରଙ୍କ ସହ ଜଣେ ଫାଷ୍ଟ ବୋଲରଙ୍କୁ ସାମିଲ କରାଯାଇଛି । ଏହାସହିତ ଜଣେ ନୂତନ ଖେଳାଳିଙ୍କୁ ଏହି ଦଳରେ ସୁଯୋଗ ମିଳିବା ନେଇ ଦଳର ଅଧିନାୟକ ଘୋଷଣା କରିଛନ୍ତି । ଭାରତ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଇଂଲଣ୍ଡ କ୍ରିକେଟ ଟିମ୍ ଏହି ଦଳ ଘୋଷଣା କରିଛି । ମ୍ୟାଚର ଦିନ ପୂର୍ବରୁ ଇଂଲଣ୍ଡର ଦଳ ଘୋଷଣା ପରେ ପ୍ରସ୍ତୁତ ହୋଇଛି ଟିମ ଇଣ୍ଡିଆ ।

ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ଭାରତ ବିପକ୍ଷ ଏହି ଟିମରେ ୩ ଜଣ ସ୍ପିନରଙ୍କୁ ସୁଯୋଗ ଦେଇଥିବା ବେଳେ ଫାଷ୍ଟ ବୋଲର ଜଣେ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି । ରେହାନ୍ ଅହମଦ ଏବଂ ଜ୍ୟାକ ଲିଚ ଦଳର ପ୍ରମୁଖ ସ୍ପିନର ଭାବରେ ଦଳରେ ସ୍ଥାନ ପାଇଥିବା ବେଳେ ଲଙ୍କାରାୟରର ଟମ ହାର୍ଟଲେ ଦଳରେ ତୃତୀୟ ସ୍ପିନର ଭାବରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ତେବେ ଭାରତ ବିପକ୍ଷରେ ମାର୍କ ଉଡଙ୍କ ସହ ଅଧିନାୟକ ବେନ୍ ଷ୍ଟୋକ୍ସ ଦଳର ଦ୍ୱିତୀୟ ଫାଷ୍ଟ ବୋଲିଂ ବିକଳ୍ପ ଭାବରେ ଦାୟିତ୍ୱ ତୁଲାଇବେ । ଏହାସହିତ ପ୍ରଥମ ଟେଷ୍ଟରେ ବେନ୍ ଫୋକ୍ସଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । ଫୋକ୍ସ ଦଳରେ ୱିକେଟ କିପିଙ୍ଗ ଭାର ସମ୍ଭାଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ଜନି ବେୟାରଷ୍ଟୋ ଦଳରେ ଜଣେ ସ୍ପେଶାଲିଷ୍ଟ ବ୍ୟାଟର ଭାବରେ ଖେଳିବେ ।

ଏହାବ୍ୟତୀତ ଭାରତ ବିପକ୍ଷରେ ଷ୍ଟାର ବ୍ୟାଟର ଜୋ ରୁଟ ମଧ୍ୟ ସାମିଲ ରହିଛନ୍ତି । ଟେଷ୍ଟ ମ୍ୟାଚରେ ଜୋ ରୁଟ ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ବିପଦ ସାଜିପାରନ୍ତି । ତେବେ ଇଂଲଣ୍ଡ ଏହି ଦଳ ଗୋଷଣା କରି ସାରିବା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଭାରତୀୟ ଦଳ ଉପରେ । ଅଧିନାୟକ ରୋହିତ ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ, ସେ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି । ତେବେ କିଛି ଖେଳାଳିଙ୍କ ଖେଳିବା ନିଶ୍ଚିତ ରହିଥିବା ବେଳେ ଅନ୍ୟ ଖେଳାଳିଙ୍କ ପାଇଁ ଚିନ୍ତାରେ ପଡ଼ିପାରନ୍ତି ଅଧିନାୟକ ରୋହିତ ।

ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ: ବେନ୍ ଷ୍ଟୋକ୍ସ (ଅଧିନାୟକ), ଜ୍ୟାକ କ୍ରଲି, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ, ଜନି ବେୟାରଷ୍ଟୋ, ବେନ୍ ଫେକ୍ସ, ରେହାନ ଅହମଦ, ଟମ ହାର୍ଟଲ,  ମାର୍କ ଉଡ୍, ଜ୍ୟାକ ଲିଚ ।