fbpx

ଟେଷ୍ଟ କ୍ରିକେଟରୁ ବିଦାୟ ନେଲେ ଏହି ଷ୍ଟାର ପ୍ଲେୟର: କୁନି ଫ୍ୟାନକୁ ଦେଇଗଲେ Surprise Gift

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟକୁ ସବୁ ଦିନ ପାଇଁ ବିଦାୟ ନେଇ ପାଭିଲିୟନ୍ ଫେରିଛନ୍ତି ଜଣେ ଲିଜେଣ୍ଡ କ୍ରିକେଟର । ଦଳ ପାଇଁ ସବୁ ସମୟରେ ସଙ୍କଟ ମୋଚକ ହୋଇ ଠିଆ ହୋଇଥିବା ବେଳେ ଆଜି ଦେଶର ଏହି ବଡ଼ ଦାୟିତ୍ୱରୁ ସେ ନିଜକୁ ମୁକ୍ତ କରିଛନ୍ତି । ଅନେକ ବଡ଼ ବଡ଼ ରେକର୍ଡ ନିଜ ନାମରେ କରିବା ପରେ ଆଜି ଶେଷ ମ୍ୟାଚରେ ବିଦାୟ ବେଳେ ମଧ୍ୟ କୁନି ଫ୍ୟାନଙ୍କୁ ଏକ ବଡ଼ ସରପ୍ରାଇଜ ଦେଇ ଯାଇଛନ୍ତି ଏହି କ୍ରିକେଟର । ଟେଷ୍ଟରେ ଶେଷ ଇନିଂସ ଖେଳି ପାଭିଲିୟନ ଫେରିବା ବେଳେ ଭାବବିଭୋର ହୋଇଯାଇଛନ୍ତି ଅଷ୍ଟ୍ରେଲିଅର ଷ୍ଟାର କ୍ରିକେଟର ଡାଭିଡ ୱାର୍ଣ୍ଣର ।

ଯେଉଁଠି ଟେଷ୍ଟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ, ଆଜି ସେହି ଗ୍ରାଉଣ୍ଡରେ ବିଦାୟ ମ୍ୟାଚ ମଧ୍ୟ ଖେଳିଛନ୍ତି ୱାର୍ଣ୍ଣର । ଷ୍ଟାର ଓପନର ଡାଭିଡ ୱାର୍ଣ୍ଣର ଶେଷ ଟେଷ୍ଟ ମ୍ୟାଚରେ ପାଭିଲିୟନ ଫେରିବା ସମୟରେ ଭାବବିଭୋର ହୋଇ ଯାଇଥିବା ଦେଖିବାକୁ ମିଳିଛି । ନିଜ କ୍ୟାରିୟରରେ ଅନେକ ଗୁଡ଼ିଏ ରେକର୍ଡ ନିଜ ନାମରେ କରିଛନ୍ତି ୱାର୍ଣ୍ଣର ଏବଂ ଅନେକ ଫ୍ୟାନ୍ସମାନଙ୍କୁ ବାନ୍ଧି ରଖିପାରିଛନ୍ତି । ତେବେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୬ ରନ୍ କରି ପାଭିଲିୟନ ଫେରିବା ସମୟରେ ଆଖିର ଲୁହକୁ ନିୟନ୍ତ୍ରଣ କରିପାରି ନାହାନ୍ତି ୱାର୍ଣ୍ଣର । ଟେଷ୍ଟ କ୍ରିକେଟରେ ଅପରାଜିତ ତ୍ରିଶତକ ହାସଲ କରିବା ସହିତ ୨ ଥର ଦ୍ୱିଶତକ ଅର୍ଜନ କରି ୱାର୍ଣ୍ଣର ରେକର୍ଡ ସୃଷ୍ଟି କରିଛନ୍ତି । ଏହାବ୍ୟତୀତ ଅଷ୍ଟ୍ରେଲିଆ ପାଇଁ ଅନେକ ଥର ସେ ମ୍ୟାଚ ୱିନିଙ୍ଗ ପାଳି ଖେଳିଛନ୍ତି ।

ଆଉଟ ହୋଇ ପାଭିଲିୟନ ଫେରିବା ସମୟରେ ଉପସ୍ଥିତ ହଜାର ହଜାର ଦର୍ଶକ ଠିଆ ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦର୍ଶକଙ୍କ ସହିତ ସାଥୀ କ୍ରିକେଟର ମଧ୍ୟ ୱାର୍ଣ୍ଣରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଉଥିବାର ଦେଖାଯାଇଛି । ତେବେ ଏହି ସମୟରେ ଓ୍ବାର୍ଣ୍ଣରଙ୍କ ଜଣେ କୁନି ଫ୍ୟାନ୍ ମଧ୍ୟ ତାଙ୍କ ବିଦାୟକୁ ସମ୍ବର୍ଦ୍ଧନା କରୁଥିଲେ । ୱାର୍ଣ୍ଣରଙ୍କୁ ଧନ୍ୟବାଦ ଭରା ଏକ ମେସେଜ ଲେଖି ଦେଖାଇଥିଲା ଏହି କୁନି ଫ୍ୟାନ୍ । ଏହା ସହିତ ସେଥିରେ ଲେଖାଥିଲା, କ’ଣ ମୋତେ ଆପଣଙ୍କ ଗ୍ଲୋବ୍ସ ମିଳିପାରିବ? ଡ୍ରେସିଙ୍ଗ ରୁମକୁ ଫେରିବା ବାଟରେ ୱାର୍ଣ୍ଣରଙ୍କ ନଜର ଏହା ଉପରେ ପଡ଼ିଥିଲା ଏବଂ ସେ ନିଜ ଗ୍ଲୋବ୍ସ ପିଲାଟିକୁ ଦେଇ ଦେଇଥିଲେ । ଏହା ପାଇବା ପରେ ୱାର୍ଣ୍ଣରଙ୍କ ଏହି କୁନି ଫ୍ୟାନ୍ ର ଖୁସି କହିଲେ ନ ସରେ ।

Get real time updates directly on you device, subscribe now.