fbpx

(Video) ଏଥର ପାଳନ ହେବନି ରଜ ମଉଜ! ଘରୁ ବାହାରିବାକୁ ବାରଣ, ଜାରି ହେବ ହାଇ ଆଲର୍ଟ

Advertisement

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ରଜ ପରବ । ଏଥିପାଇଁ ରାଜ୍ୟସାରା ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶାର ଗଣପର୍ବ ରଜକୁ ପାଳନ କରିବା ପାଇଁ ଆବାଳ ବୃଦ୍ଧ ବନିତା ପ୍ରସ୍ତୁତି ଆରମ୍ଭ କରିଦେଲେଣି । କିନ୍ତୁ ଏଥର ରଜ ପାଳନ ଫିକା ପଡ଼ିବ । ସୂର୍ଯ୍ୟଙ୍କ କୋପରେ ଏଥର ପାଳି ହେବନି ରଜ ମଉଜ, ରଜ ଆଗରୁ ଘରୁ ନ ବାହାରିବା ପାଇଁ ବାରଣ କରାଗଲାଣି । ସେଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କବାଣୀ ଦେଇଛି ପାଣିପାଗ ବିଭାଗ । ପହିଲି ରଜରେ ଅଥୟ କରିବ ତାତି । ରାଜୁତି କରିବ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି । ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ତାପମାତ୍ରା କେତେକ ଜିଲ୍ଲାରେ ୪୩ରୁ ୪୪ ଡିଗ୍ରୀ ଅତିକ୍ରମ କରିପାରେ । ସେଥିପାଇଁ ପାଣିପାଗ ବିଭାଗ ସୂଚନା ଜାରି କରିଛି ।

ବୁଧବାରରୁ ଶୁକ୍ରବାର(ପହିଲି ରଜ) ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ସୋନପୁର, ବୌଦ୍ଧ,ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହେବ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୌସୁମୀ କେବଳ ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ଆସିଛି । ଏବେ ସ୍ଥିତି ଅନୁକୂଳ ନଥିବାରୁ ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରିନି । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ମୌସୁମୀ ଆଗକୁ ବଢ଼ିବାର କିଛି ସମ୍ଭାବନା ନଥିବା ଜଣା ପଡିଛି ।

ଆଗାମୀ ୫ ଦିନ କମ୍ ବର୍ଷା ହେବ । କିଛିଟା ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ । ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିପାରେ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.