fbpx

ସେମିଫାଇନାଲ ବିଜୟ ପାଇଁ ଟିମ୍ ଇଣ୍ଡିଆର ୩ଟି ବଡ଼ ଅସ୍ତ୍ର! କେଉଁ ରଣନୀତି ଆପଣାଇଲେ ହାରିବ ଇଂଲଣ୍ଡ

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ବିଜେତା ଚୟନ ପାଇଁ ଆଉ ମାତ୍ର ଦୁଇଟି ପାଦ ବାକି ରହିଛି । ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନ ବିପକ୍ଷରେ ୯ ୱିକେଟରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିସାରିଛି । ଏହାପରେ ଆଉ କିଛି ଘଣ୍ଟା ପରେ ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ପରସ୍ପରଙ୍କୁ ଭେଟିବେ । ଗତ ୨୦୨୨ ବିଶ୍ୱକପ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଇଂଲଣ୍ଡ । ତେଣୁ ଏଥର ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତେବେ ଗୟାନାରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିରେ କିପରି ବିଜୟ ହାସଲ କରିବାକୁ ପଡ଼ିବ ସେଥିପାଇଁ ଭାରତର ରଣନୀତି ହିଁ ପ୍ରମୁଖ ଭୂମିକା ନିର୍ବାହ କରିବ ।

୧- ପ୍ରଥମ ବ୍ୟାଟିଂକୁ ସଫଳତା ମିଳିଥାଏ

କ୍ରିକେଟରେ ଟସ୍ ବହୁତ ଜରୁରୀ ହୋଇଥାଏ । କାରଣ ପିଚ ଓ ମୌସୁମୀ ଅନୁସାରେ ଅଧିନାୟକ ବ୍ୟାଟିଂ ବା ବୋଲିଂ ଚୟନ କରିଥାନ୍ତି । ଗୟାନାରେ ପୂର୍ବରୁ ହିଁ ବର୍ଷା ଆଶଙ୍କା ରହିଥିବାରୁ ଏଭଳି ସ୍ଥିତିରେ ଟସ୍ ଏକ ଫ୍ୟାକ୍ଟର ହେବ । ଏହି ପିଚରେ ଚଳିତ ଟୁର୍ଣ୍ଣାମେଣ୍ଟରେ ମୋଟ ୫ଟି ମ୍ୟାଚ ଖେଳାଯାଇଥିବା ବେଳେ ସେଥିମଧ୍ୟରୁ ୩ଟି ମ୍ୟାଚ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିଲା । ସେହିପରି ୨୦୨୨ରେ ଟି-୨୦ ବିଶ୍ୱକପରେ ମଧ୍ୟ ୯ଟି ମ୍ୟାଚରୁ ୫ଟିରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିଲା । ତେଣୁ ଟସ୍ ଜିତିଲେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ଆବଶ୍ୟକ ।

୨. ସ୍ପିନର୍ସ ସବୁଠାରୁ ବଡ଼ ଅସ୍ତ୍ର

ଗୟନା ପିଚରେ ସ୍ପିନର୍ସଙ୍କ ଦବଦବା ଦେଖିବାକୁ ମିଳିଛି । ୨୦୨୨ରେ ସେଠାରେ ହୋଇଥିବା ମୁକାବିଲାରେ ମୋଟ ୧୬୨ଟି ୱିକେଟ ପଡ଼ିଥିବା ବେଳେ ରିଷ୍ଟ ସ୍ପିନର୍ସ ୪୦ଟି ଓ ଫିଙ୍ଗର ସ୍ପିନର୍ସ ୧୨୨ଟି ୱିକେଟ ଅକ୍ତିଆର କରିଥିଲେ । ସେହି ସମୟରେ ରିଷ୍ଟ ସ୍ପିନର୍ସଙ୍କ ଇକୋନୋମୀ ହାର ୬.୭ ଓ ଫିଙ୍ଗର ସ୍ପିନର୍ସଙ୍କ ଇକୋନମୀ ହାର ୭ ରହିଥିଲା । ଏପରି ସ୍ଥିତିରେ କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡ଼େଜା ଭାରତ ପାଇଁ ଏକ ବଡ଼ ହତିଆର ଭାବେ ଉଭା ହୋଇ ପାରନ୍ତି । ତେଣୁ ଏହି ଯୋଦ୍ଧାମାନଙ୍କୁ କିପରି ସଠିକ୍ ଭାବେ ଓ ସଠିକ୍ ସମୟରେ ଉପଯୋଗ କରାଯାଇ ପାରିବ, ତା’ର ନିଷ୍ପତ୍ତି ନେବେ ଅଧିନାୟକ ରୋହିତ ।

୩. ଲୋ-ସ୍କୋରିଂ ମ୍ୟାଚ ହେବାର ସମ୍ଭାବନା

ଚଳିତ ବିଶ୍ୱକପରେ ଗୟନା ପିଚରେ ପାୱରପ୍ଲେରେ କେବଳ ୬.୪ ଆଭରେଜରେ ରନ୍ ସଂଗ୍ରହ ହୋଇଛି । ସେହିପରି ମିଡିଲ ଓଭର୍ସରେ ଆଭରେଜ ୫.୫ ରହିଥିବା ବେଳେ ଡେଥ ଓଭର୍ସରେ ୭.୬ ଆଭରେଜ ରହିଛି । ୨୦୨୨ରେ ପାୱରପ୍ଲେ ଓ ମିଡିଲ ଓଭର୍ସରେ ପ୍ରତି ଓଭରରୁ କେବଳ ୭.୩ ରନ୍ ସଂଗ୍ରହ ହୋଇଥିଲା । ଅନ୍ୟପକ୍ଷରେ ଅନ୍ତିମ ୫ ଓଭରରେ ପ୍ରତି ଓଭର ପିଛା ୧୧ ରନ୍ ସଂଗ୍ରହ ହୋଇଥିଲା । ତେଣୁ ସେମିଫାଇନାଲରେ ଏକ ଲୋ-ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିପାରେ ବୋଲି ଏହି ତଥ୍ୟରୁ ଅନୁମାନ କରାଯାଉଛି । ଯଦି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୬୦ ପାଖାପାଖି ସ୍କୋର ଛିଡ଼ା କରେ, ତେବେ ତାହାକୁ ଚେଜ୍ କରିବାକୁ ଇଂଲଣ୍ଡ ପକ୍ଷେ କଷ୍ଟକର ହୋଇପାରେ ।

Get real time updates directly on you device, subscribe now.