fbpx

ଦୁର୍ଗାପୂଜାରେ ବଡ଼ ଅଘଟଣ: ଠେଲାପେଲାରେ ୨ ଜଣ ମହିଳା ଓ ଜଣେ ଶିଶୁଙ୍କ ମୃତ୍ୟୁ, ୧୫ ଜଣ ଆହତ

ନୂଆଦିଲ୍ଲୀ: ଆଜି ମା’ ଦୁର୍ଗାଙ୍କର ନବମୀ ଉତ୍ସବ ଦେଶର କୋଣ ଅନୁକୋଣରେ ବଡ଼ ଧୁମଧାମରେ ପାଳିତ ହେଉଛି । ଏହି ଅବସରରେ ମା’ଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଠେଲାପେଲା କାରଣରୁ ୩ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଗୋଟିଏ ଶିଶୁ ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବିହାରର ଗୋପାଲଗଞ୍ଜରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା । ମା’ଙ୍କ ଦର୍ଶନ ନିମନ୍ତେ ପୂଜା ମଣ୍ଡପରେ ଭକ୍ତଙ୍କର ପ୍ରବଳ ଭିଡ଼ ଜମିଥିଲା । ତେଣୁ ଭିଡ଼ କାରଣରୁ ଠେଲାପେଲା ଦେଖିବାକୁ ମିଳିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣ ମହିଳା ଓ ଗୋଟିଏ ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିଲା । ଏଥିସହିତ ୧୫ ଜଣ ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ନିକଟସ୍ଥ ସଦର ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ତେବେ ଏହି ଅଘଟଣ ପରେ ସଙ୍ଗେସଙ୍ଗେ ମା’ଙ୍କ ଦର୍ଶନ ବନ୍ଦ କରି ଦିଆଯାଇଥିଲା । ଅତ୍ୟଧିକ ଭିଡ଼ କାରଣରୁ ଏହି ଅଘଟଣ ଘଟିଥିବାରୁ ସମସ୍ତ ଭକ୍ତମାନଙ୍କୁ ଘରକୁ ଫେରିଯିବାକୁ କୁହାଯାଇଥିଲା । ସହରର ଚିନୀ ମିଲ ରୋଡ଼ ସ୍ଥିତ ରାଜା ଦଳ ନିକଟରେ ଏହି ଅଘଟଣ ଘଟିଥିଲା । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ଚିହ୍ନଟ ସମ୍ଭବ ହୋଇ ପାରିନାହିଁ । ସହରର କିଛି ଛକରେ ଯାତ୍ରୀଙ୍କ ଯାତାୟାତ ଉପରେ କଟକଣା ଲାଗୁ କରାଯିବା ସହିତ ବହୁ ସଂଖ୍ୟାରେ ପୋଲିସଙ୍କୁ ମୁତୟନ କରାଯାଇଛି ।

Get real time updates directly on you device, subscribe now.