fbpx

(Video) ପରିବେଶକୁ ସଫା କରୁଛି ବାଘ ମାମୁଁ: ପ୍ରଦୂଷଣକୁ ନେଇ ପଶୁ ସଚେତନ ହେଲେଣି, ମଣିଷ କେବେ ହେବ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଜଳ, ବାୟୁ ପ୍ରଦୂଷଣ ହେବାରେ ଲାଗିଛି । ଫଳରେ ସମଗ୍ର ମଣିଷ ସମାଜ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବିଷାକ୍ତ ଜଳ ଓ ବାୟୁ ସେବନ କରି ମଣିଷ ଅକାଳରେ ମୃତ୍ୟୁବରଣ କରିବା ସହିତ ବହୁ ଭୟଙ୍କର ବୀମାରୀରେ ସଂକ୍ରମିତ ହେଉଛି । ତେବେ ଆଜିର ସମୟରେ ଆମେମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ଦାନ୍ତ ଘଷିବା, ଖାଦ୍ୟ ଖାଇବା, ପାଣି ପିଇବା ଆଦି ବିଭିନ୍ନ କାର୍ଯ୍ୟ ସକାଶେ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ନିର୍ଭର କରିଥାଉ ।

ତେବେ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ଲାଷ୍ଟିକରେ ତିଆରି ହୋଇଥିବାରୁ ମାଇକ୍ରୋ ପ୍ଲାଷ୍ଟିକ୍ ଆମର ମସ୍ତିଷ୍କରେ ପହଞ୍ଚି ତାହାକୁ ନଷ୍ଟି କରିଥାଏ । ନଦୀ, ପୋଖରୀ, ସମୁଦ୍ର ଭିତରେ ଏପରି ଅସଂଖ୍ୟ ଛୋଟ ପ୍ଲାଷ୍ଟିକ୍ ଖଣ୍ଡ ପଡ଼ିରହିଥାଏ । ପରେ ଉକ୍ତ ପ୍ଲାଷ୍ଟିକ ମିଶ୍ରିତ ଜଳକୁ ପିଇ ମଣିଷ ରୋଗାକ୍ରାନ୍ତ ହୋଇଥାଏ । ଏନେଇ ବୈଜ୍ଞାନିକମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ପ୍ଲାଷ୍ଟିକ ଆମ ଶରୀରର ଅନେକ କ୍ଷତି ଘଟାଇବା ସହିତ ଆମ ଟିସୁରେ ଅମ୍ଳଜାନକୁ ହ୍ରାସ କରିଥାଏ ଓ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଦୁର୍ବଳ କରିଦେଇଥାଏ । ଏଥିସହିତ ଛୋଟପିଲା ଓ ଗର୍ଭବତୀମାନେ ଏହାଦ୍ୱାରା ପ୍ରଭାବିତ ହେବା ସହିତ ଫୁସଫୁସ, ହୃଦୟ ଓ ହଜମ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ ।

ତେବେ ଯେତେ ସଚେତନତା ଲାଗୁ କରାଗଲେ ମଧ୍ୟ ମଣିଷମାନେ ପ୍ରଦୂଷଣରୁ ଜମା ନିବୃତ୍ତ ରହୁନାହାନ୍ତି । ମାତ୍ର ପଶୁମାନେ ସ୍ୱଚ୍ଛତାର ପ୍ରକୃତ ମୂଲ୍ୟ ବୁଝିପାରିଛନ୍ତି । ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ବାଘ ଜଳ ଭିତରୁ ଏକ ପ୍ଲାଷ୍ଟିକ ବୋତଲକୁ ବାହାର କରୁଥିବା ଦେଖାଯାଉଛି । ଏହି ଭିଡିଓରେ ବାଘ ମାମୁଁର କାର୍ଯ୍ୟକୁ ଅନେକ ୟୁଜର୍ସ ଖୁବ୍ ପ୍ରଶଂସା କରିଛନ୍ତି । ମଣିଷ ବାଘଠାରୁ ସ୍ୱଚ୍ଛତା ଜ୍ଞାନ ଶିଖିବା ଆବଶ୍ୟକ ବୋଲି ଅନେକ କମେଣ୍ଟ କରିଛନ୍ତି । ଆମେମାନେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ବୋତଲ, ଜରି ଆଦିକୁ ପାଣିରେ ଫୋପାଡ଼ିବା ଅନୁଚିତ ବୋଲି ବାଘଟି ଶିକ୍ଷା ଦେଇଛି । ସମସ୍ତେ ସଚେତନ ହେଲେ ଆମର ପରିବେଶ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ଆଉ କିଛି ୟୁଜର୍ସ ମତ ଦେଇଛନ୍ତି । ଗୋଟିଏ ପଶୁ ହେଲେ ବି ବାଘର ଏହି ସୁକାର୍ଯ୍ୟକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.