Asia Cup-2023ରେ ସୁଯୋଗ ପାଇବେ ତିଲକ ବର୍ମା: ସୂର୍ଯ୍ୟକୁମାର-ସାମସନଙ୍କ ପାଇଁ ବିପଦ

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରୁ ଖେଳାଯିବ ଏସିଆ କପ୍-୨୦୨୩ । ତେଣୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖୁବଶୀଗ୍ର ଭାରତୀୟ ଦଳ ଘୋଷଣା କରାଯିବ । ଏଥିପାଇଁ ବିସିସିଆଇ ପକ୍ଷରୁ ଅନକ ଖେଳାଳିଙ୍କୁ ନେଇ ବିଚାରବିମର୍ଶ କରିବାକୁ ପଡ଼ିବ । ତେବେ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କୁ ଏହି ଦଳରେ ସୁଯୋଗ ଦେବାକୁ ଯୋଜନା କରୁଥିବା ବେଳେ ଏନସିଏର ଅପଡେଟକୁ ଅପେକ୍ଷା କରିଛି ବୋର୍ଡ । ତେବେ ଏହା ମଧ୍ୟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଷ୍ଟାର ବ୍ୟାଟର ତିଲକ ବର୍ମା ଦମଦାର ପ୍ରଦର୍ଶନ କରି ଏସିଆ କପ୍ ପାଇଁ ବଡ଼ ଦାବିଦାର ପାଲଟିଛନ୍ତି । ତେଣୁ ରାହୁଲ-ଶ୍ରେୟସଙ୍କୁ ଦଳରେ ଚୟନ କରା ନ ଗଲେ ତିଲକ ବର୍ମାଙ୍କୁ ବିସିସିଆଇ ଦଳରେ ସାମିଲ କରିପାରେ ବୋଲି ଆଲୋଚନା ହେଉଛି ।

ମିଳିଥିବା ରିପୋର୍ଟ ଅନୁସାରେ, ତିଲକ ବର୍ମାଙ୍କୁ ଏସିଆ କପରେ ସୁଯୋଗ ଦେବା ପାଇଁ ଯୋଜନା ଚଳାଇଛି ବିସିସିଆଇ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ସ୍ତାନ ଦେଇପାରେ । ତେବେ ତିଲକ ଏହି ଦଳରେ ସ୍ଥାନ ପାଇଲେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନଙ୍କ ପାଇଁ ଏହା ବିପଦ ସାଜିପାରେ । ପ୍ଲେଇଙ୍ଗ-୧୧ରେ ତିଲକ ଏହି ଦୁଇ ଖେଳାଳିଙ୍କ ସ୍ଥାନ ଛଡ଼ାଇ ନେଇ ପାରନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୫ଟି ଟି-୨୦ରେ ସେ ଗୋଟିଏ ଅର୍ଦ୍ଧଶତକ ସହିତ ୧୭୩ ରନ୍ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ଟି-୨୦ କ୍ରିକେଟରେ ତାଙ୍କ ରେକର୍ଡ ଖୁବ ପ୍ରଶଂସନୀୟ ରହିଛି । ୧୧ଟି ଅର୍ଦ୍ଧଶତକ ସହ ତିଲକ ମୋଟ ୧୫୦୦ରୁ ଅଧିକ ରନ୍ କରି ସାରିଛନ୍ତି । ସେହିପରି ଆଇପିଏଲ-୨୦୨୩ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେ ଦମଦାର ପ୍ରଦର୍ଶନ କରିଥିଲେ ।

ତେବେ ଭାରତ ବର୍ତ୍ତମାନ ମଧ୍ୟକ୍ରମ ପାଇଁ ଚିନ୍ତାରେ ପଡ଼ିଥିବା ବେଳେ ବାମହାତୀ ବ୍ୟାଟର ତିଲକ ଯୁବରାଜ-ରାଇନାଙ୍କ ସ୍ଥାନ ପୂରଣ କରିପାରନ୍ତି ବୋଲି କୁହାଯାଉଛି । ଏହାବ୍ୟତୀତ ତିଲକ ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ରେ ବୋଲିଂ କରି ଗୋଟିଏ ୱିକେଟ ଅକ୍ତିଆର କରିଥିବା ବେଳେ ଆଉ ଏକ ୱିକେଟ ସୁଯୋଗ ହାତଛଡ଼ା କରିଥିଲେ । ତେଣୁ ସମୟ ସମୟରେ ସେ ବୋଲିଂ ମଧ୍ୟ କରିପାରିବେ । ଯାହା ଫଳରେ ଭାରତକୁ ପାର୍ଟ ଯାଇମ ବୋଲରର ଅଭାବ ମଧ୍ୟ ଦୂର ହୋଇ ପାରିବ । ତେଣୁ ତିଲକ ବର୍ମା ଏସିଆ କପ୍ ପାଇଁ ଭାରତୀୟ ଦଳ ସହ ଯାଇପାରନ୍ତି । ତେବେ ତାଙ୍କ ଖେଳିବା ରାହୁଲ ଏବଂ ଶ୍ରେୟସଙ୍କ କମବ୍ୟାକ ଉପରେ ନିର୍ଭର କରିବ ।