fbpx

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟିଏମସି ସାଂସଦଙ୍କ ଧମକ, “ପଦରୁ ହଟିଲେ ଜେଲକୁ ପଠାଇବୁ”

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନକୁ ନେଇ ପଶ୍ଚିମବଙ୍ଗ ଗଭର୍ଣ୍ଣର ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି । ଏହାରି ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଗଭର୍ଣ୍ଣରଙ୍କୁ ଧମକ ଦେଲାଭଳି କହିଛନ୍ତି ଯେ ପଦରୁ ହଟିବା ପରେ ତାଙ୍କୁ ଜେଲ ପଠାହେବ । କଲ୍ୟାଣ ଆହୁରି କହିଛନ୍ତି ଯେ ଆମେ ଜାଣିଛୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିପାରିବୁ ନାହିଁ ସେଥିପାଇଁ ଆମେ ଲୋକଙ୍କୁ କହୁଛୁ କି ତାଙ୍କ ବିରୋଧରେ ଅଭିଯୋଗ କରନ୍ତୁ । ବିଧାନସଭା ନିର୍ବାଚନ ସମୟରେ ଏବଂ ପରେ ଯେଉଁଠାରେ ହିଂସା ହୋଇଛି ସେଠାରେ ଲୋକମାନେ ଗଭର୍ଣ୍ଣରଙ୍କ ବିରୋଧରେ ଅଭିଯୋଗ ରୁଜୁ କରନ୍ତୁ । ଏଥିସହ ପଦବୀରୁ ଯିବା ପରେ ଜଗଦୀପଙ୍କୁ ସେହି ପ୍ରେସିଡେନସି ଜେଲରେ ରଖାଯିବ ଯେଉଁଠାରେ ନାରଦା କେସ ମାମଲାରେ ଟିଏମସି ନେତାଙ୍କୁ ରଖାଯାଇଛି । ଏପରିକି ୨୦୨୪ ନିର୍ବାଚନ ବେଳକୁ ବିଜେପିର ଅନେକ ନେତା ଜେଲରେ ଥିବେ ବୋଲି କଲ୍ୟାଣ କହିଛନ୍ତି ।

ଟିଏମସି ସାଂସଦଙ୍କ ଏଭଳି ଟିପ୍ପଣୀକୁ ନେଇ ଗଭର୍ଣ୍ଣର ଜଗଦୀପ ଧନଖଡ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସାଂସଦଙ୍କ ଏଭଳି ଧମକପୂର୍ଣ୍ଣ ମନ୍ତବ୍ୟ ମୋତେ ଚକିତ କରିଛି । ସୂଚନାଯୋଗ୍ୟ ନାରଦା ଷ୍ଟିଙ୍ଗ ମାମଲାକୁ ସିବିଆଇ ଯାଞ୍ଚ କରିବାକୁ ଗଭର୍ଣ୍ଣର ସୁପାରିସ୍ କରିଥିଲେ । ଏହାପରେ ବଙ୍ଗ ସରକାରଙ୍କ ଦୁଇ ମନ୍ତ୍ରୀ ସୁବ୍ରତ ବାନାର୍ଜୀ ଓ ଫିରହାଦ ହକିମଙ୍କ ସମତେ ୪ ନେତାଙ୍କୁ ଗିରଫ କରାଯାଇଥିଲା । ସମ୍ପ୍ରତି ସେ ଦୁଇଜଣ ଜେଲରେ ଅଛନ୍ତି । ସିବିଆଇ ତରଫରୁ କରାଯାଇଥିବା ଏହି କାର୍ଯ୍ୟନୁଷ୍ଠାନକୁ ନେଇ ଟିଏମସିର ଅନେକ ନେତା ଗଭର୍ଣ୍ଣର ଜଗଦୀପ ଧନଖଡ଼ଙ୍କୁ ଟାର୍ଗେଟ୍ କରି ନାନା ପ୍ରକାର ଟିପ୍ପଣୀ ଦେବାରେ ଲାଗିପଡ଼ିଛନ୍ତି ।

ନାରଦା ଟିଭି ନ୍ୟୁଜ ଚ୍ୟାନେଲର ମ୍ୟାଥ୍ୟୁ ସାମୁଏଲ ୨୦୧୪ରେ ଷ୍ଟିଙ୍ଗ ଅପରେସନ କରଥିଲେ । ଯେଉଁଥିରେ ଟିଏମସିର ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ଏକ କମ୍ପାନିଠାରୁ ଲାଞ୍ଚ ନେଉଥିବାର ଦେଖାଯାଇଥିଲା । ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛନ୍ତି ଯେ ଫିରହାଦ ହକିମ ଷ୍ଟିଙ୍ଗ ଅପରେସନ କରୁଥିବା ବ୍ୟକ୍ତଙ୍କୁ ଲାଞ୍ଚ ନେବା କଥା ସ୍ୱୀକାର କରୁଥିବା ଦେଖାଯାଇଛି, ଯେତେବେଳେକି ମଦନ ମିତ୍ର ଏବଂ ସୁବ୍ରତ ମୁଖାର୍ଜୀଙ୍କୁ କ୍ୟାମେରାରେ ପାଞ୍ଚ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବାର ଦେଖାଯାଇଛି । ସିବିଆଇ ଅନୁସାରେ ଆଇପିଏସ ଅଧିକାରୀ ଏସଏମଏଚ ମିର୍ଜା ମଧ୍ୟ ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା କ୍ୟାମେରାରେ ରେକର୍ଡ ହୋଇଛି ।

Get real time updates directly on you device, subscribe now.