ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ହାଲୁକା ବର୍ଷା : ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଅଞ୍ଚଳରୁ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ବାୟୁଅପସରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବର୍ଷା ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳେଶ୍ୱରଠାରେ ସୁବର୍ଣ୍ଣରେଖା ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି । ରାଜଘାଟଠାରେ ସୁବର୍ଣ୍ଣରେଖାର ସତର୍କ ସଂକେତ ୯ ଦଶମିକ ୪/୫ ମିଟର ଥିବାବେଳେ ସକାଳ ୯ଟା ସୁଦ୍ଧା ଏଠାରେ ୯ ଦଶମିକ ୬/୨ ମିଟର ଉପରେ ଜଳ ପ୍ରବାହିତ ହେଉଛି । ତେବେ ଅପରାହ୍ଣ ସୁଦ୍ଧା ରାଜଘାଟଠାରେ ଜଳପତ୍ତନ ହ୍ରାସ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।